ଓଡ଼ିଶା 365 (ବ୍ୟୁରୋ): ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତ ବର୍ଷ ଭିତରକନିକାରେ ବଢିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ତୁଳନାରେ ଭିତରକନିକା ଜାତୀୟ ଉଦ୍ୟାନରେ ଏବେ ଅଛନ୍ତି ୭,୭୯୭ରୁ ଅଧିକ ଦେଶୀୟ ପକ୍ଷୀ। ଚଳିତବର୍ଷ ୨୬ହଜାର ୧୧୮ ଟି ବସାରୁ ୧ଲକ୍ଷ ୨୩ହଜାର ୮୬୭ ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୨୪ହଜାର ୬୬୪ ଟି ବସାରୁ ୧ଲକ୍ଷ ୧୬ହଜାର ୭୦ଟି ପକ୍ଷୀ ଗଣନା କରାଯାଇଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ ଭିତରକନିକାରେ ୭ହଜାର ୭୯୭ ଟି ପକ୍ଷୀ ଅଧିକ ଆସିଛନ୍ତି ।
ସୂଚନା ଅନୁଯାୟୀ, ଚଳିତ ମାସ ୩ ତାରିଖରୁ ୭ ତାରିଖ ଯାଏ ପକ୍ଷୀ ଗଣନା କରାଯାଇଥିଲା । ଏହି ଗଣନା କାର୍ଯ୍ୟରେ ୫ଟି ଟିମ୍ ନିୟୋଜିତ ଥିଲେ । ପ୍ରତିଟି ଟିମ୍ ରେ ୪ରୁ ଅଧିକ ବନ କର୍ମଚାରୀ ରହିଥିଲେ । ପ୍ରତିବର୍ଷ ମଠଆଡ଼ିଆ, ଦୁର୍ଗାପ୍ରସାଡ଼ିଆ, ଲକ୍ଷ୍ମୀପ୍ରସାଦଡ଼ିଆରେ ପକ୍ଷୀ ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଏକମାଣିଆ ବାଲିଡ଼ିଆ ଦ୍ବୀପରେ ପକ୍ଷୀ ଗଣନା କରାଯାଇଥିଲା । ତେବେ ପ୍ରଥମ ଥର ପାଇଁ ଭିତରକନିକା ବାହାରେ ଦେଶୀୟ ପକ୍ଷୀଙ୍କ ଠିକଣା ଠାବ କରାଯିବା ସହ ଗଣନା କରାଯାଇଥିଲା । ତେବେ ଚଳିତ ବର୍ଷ ଜାତୀୟ ଉଦ୍ୟାମକୁ ପ୍ରାୟ ୧୦ ହଜାର ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡ଼ିଛି । ଏନେଇ ଖୁସି ବ୍ୟକ୍ତ କରିଛନ୍ତି ପକ୍ଷୀ ପ୍ରେମୀ, ପରିବେଶବିତ୍ ଓ ବନ ବିଭାଗ ।