ଓଡ଼ିଶା 365 (ବ୍ୟୁରୋ) : ସଂସଦ ଭବନର ଉଭୟ ସଦନର ଭିତରେ ଓ ବାହାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନୂଆ ‘ୟୁନିଫର୍ମ’ ପିନ୍ଧିବେ । ନୂଆ ‘ୟୁନିଫର୍ମ’ରେ ‘ଭାରତୀୟ’ ଛାପ ରହିବ । ଆସନ୍ତା ୧୮ ତାରିଖରେ ହେବାକୁ ଥିବ ସଂସଦର ସ୍ୱତନ୍ତ୍ର ଅଧିବେସନରେ ଏହି ନୂଆ ‘ୟୁନିଫର୍ମ’ ପିନ୍ଧାଯିବ ବୋଲି ସୂଚନା ମିଳିଛି । ଉଭୟ ସଦନର ମାର୍ସାଲ୍ମାନେ ସାଦା ପଗଡ଼ି ପରିବର୍ତ୍ତେ ମଣିପୁରୀ ପଗଡ଼ି ବାନ୍ଧିବେ। ସେହିପରି ‘ଚେୟାର୍’ ପାର୍ଶ୍ବରେ ଠିଆ ହୋଇ ‘ପ୍ରିଜାଇଡିଙ୍ଗ୍ ଅଫିସର୍’ଙ୍କୁ ସହଯୋଗ କରୁଥିବା ମାର୍ସାଲ୍ମାନେ ସଫାରି ସୁଟ୍ ପରିବର୍ତ୍ତେ ‘କ୍ରିମ୍’ ରଙ୍ଗର କୁର୍ତ୍ତା ପାଇଜାମା ପିନ୍ଧିବେ। ସେହଭଳି କେତେକ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଗାଢ଼ ଗୋଲାପୀ ରଙ୍ଗର ସାର୍ଟରେ ରହିବ ‘ପଦ୍ମ’ ଫୁଲର ଆକୃତି। ସମସ୍ତ ମହିଳା ଅଫିସର୍ମାନେ ମଧ୍ୟ ନୂଆ ଡିଜାଇନ୍ର ଶାଢ଼ି ପିନ୍ଧିବେ ବୋଲି ସୂଚନା ମିଳିଛି । ପ୍ରଶାସନିକ ଅଧିକାରୀମାନଙ୍କ ‘ବନ୍ଦଗଳା’ ସୁଟ୍ ପରିବର୍ତ୍ତେ ଗାଢ଼ ଗୋଲାପୀ ରଙ୍ଗର ‘ନେହେରୁ ଜ୍ୟାକେଟ୍’ ପିନ୍ଧିବେ। ସଂସଦ ଭବନର ନିରାପତ୍ତା କର୍ମଚାରୀଙ୍କ ପୋଷାକ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେମାନେ ସଫାରି ସୁଟ୍ ନ ପିନ୍ଧି ସେନା ଯବାନମାନେ ପିନ୍ଧୁଥିବା ୟୁନିଫର୍ମ ପରି ୟୁନିଫର୍ମ ପିନ୍ଧିବେ । ଏହି ସମସ୍ତ ୟୁନିଫର୍ମ ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ସ୍ ଅଫ୍ ଫେସନ୍ ଟେକ୍ନୋଲୋଜିରେ ତିଆରି ହୋଇଛି । ସଂସଦ ଅଧିବେଶନ ସେପ୍ଟେମ୍ବର ୧୮ରେ ପୂରୁଣା ସଂସଦ ଭବନରେ ଆରମ୍ଭ ହେବ । ଏହାପରେ ୧୯ ତାରିଖ ଗଣେଶ ଚତୁର୍ଥୀ ଦିନ ସଂସଦ ନୂତନ ଭବନରେ ପରବର୍ତ୍ତୀ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି ।