ଓଡ଼ିଆ 365 (ବ୍ୟୁରୋ): ପୁରୀ ନିଳାଦ୍ରୀ ବେଳାଭୂମିରେ ବାଲୁକା କଳାରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏସିଆ କପର ଗତକାଲିତ ମ୍ୟାଚରେ ଭାରତର ପାମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ବଡ଼ ରନ ବ୍ୟବଧାନରେ ପରାସ୍ତ କରିବା ପରେ ଆଜି ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ। ଗତକାଲି ପାକିସ୍ତାନ ଠାରୁ ୨୨୮ରନରେ ବିଜୟ ହାସଲ କରିଥିଲା ଟିମେ ଇଣ୍ଡିଆ। ଏସିଆ କପ୍ ୨୦୨୩ର ସୁପର ୪ ମ୍ୟାଚରେ ଭାରତ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର ମ୍ୟାଚ୍ ରିଜର୍ଭ ଦିନରେ ଶେଷ ହୋଇଛି। ରବିବାର ବର୍ଷା ଯୋଗୁଁ ଏହି ମ୍ୟାଚ୍ ବ୍ୟାହତ ହୋଇଥିଲା। ତା’ପରେ ସୋମବାର ରିଜର୍ଭ ଦିନରେ ପାକିସ୍ତାନ ଦଳ ଟସ୍ ଜିତି ପ୍ରଥମେ ବୋଲି ପାଇଁ ନିଷ୍ପତ୍ତି ନେଇଥିଲା ଓ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା । ରିଜର୍ଭ ଦିନରେ ୨ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଥିଲା ଟିମ୍ ଇଣ୍ଡିଆ । ପରେ ୩୫୭ ରନ୍ର ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ପାକିସ୍ତାନ ଦଳ ୧୨୮ ରନରେ ୮ ଟି ୱିକେଟ୍ ହରାଇ ଥିଲା । ଫଳରେ ଭାରତ ୨୨୮ ରନରେ ମ୍ୟାଚ୍ ଜିତିଥିଲା । ଭାରତୀୟ କ୍ରିକେଟ ଦଳର ଏହି ବିଜୟ ହାସଲ ପରେ ଆଜି ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ତିଆରି କରି ପୁରା ଟିମକୁ ଶୁଭେଶ୍ଚା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ।
ପ୍ରସ୍ତୁତ ହୋଇଥିବା ବାଲୁକା କଳାରେ ପ୍ରାୟ ୧୩ଫୁଟ ଲମ୍ବର ଏକ ବ୍ୟାଟ ପ୍ରଦର୍ଶନ କରାଯାଇଛି । ତା’ ତଳକୁ ‘ଅଭିନନ୍ଦନ ଟିମ୍ ଭାରତ’ ଓ ‘ଜୟ ହୋ’ ଲେଖାଯାଇଛି । ବାଲୁକା କଳାଟିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଷ୍ଟିଲ ବାଉଲ ଓ ପ୍ଲେଟକୁ ଭିନ୍ନ ଭିନ୍ନ ରଙ୍ଗରେ ପ୍ରସ୍ତୁତ କରି ବ୍ୟବହାର କରାଯାଇଛି । ଯାହାକୁ ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।