ଓଡ଼ିଶା 365 (ବ୍ୟୁରୋ) : ଓଡ଼ିଶାର ଅନେକ ଅଂଚଳରେ ଖରାଦିନେ ତାପମାତ୍ରା ୪୫ଡିଗ୍ରୀ ସେଲସିୟସ ଛୁଏଁ ଥାଏ । ଫାରେନାଇଟରେ ମାପିଲେ ଏହା ଆମ ଦେହର ସାଧାରଣ ତାପମାନ ୯୮.୪ଡିଗ୍ରୀ ଫାରେନାଇଟଠୁ ବେଶ ଅଧିକ ୧୧୩ ଡିଗ୍ରୀ ଫାରେନାଇଟ୍ । ରାଜସ୍ଥାନର କିଛି ସ୍ଥାନରେ ତ ପାରଦ ୫୦ଡିଗ୍ରୀ ସେଲସିୟସ ଛୁଇଁଯାଏ । ତେବେ ସମସ୍ତେ ଭାବନ୍ତି ବାସ୍ତବରେ ଏପରି ଜଳବାୟୁ ପରିବର୍ତ୍ତନରେ ତାପମାନ ଶରୀର ସହେ କେମିତି ? ଅସଲରେ ଆମ ଶରୀର ଭିତରେ ଚାଲୁଥିବା ବିଭିନ୍ନ ରାସାୟନିକ ପ୍ରକ୍ରିୟା ପାଇଁ ୩୭-୩୮ଡିଗ୍ରୀ ସେଲସିୟସ ତାପମାନ ସୁହାଏ । ବ୍ୟବସ୍ଥା ଏମିତି ହୋଇଛି ଯେ ଏହି ତାପମାତ୍ରାର ଆଖପାଖରେ ଏସବୁ ଠିକ୍ ଠାକ୍ ଚାଲେ । ଏହି ପ୍ରକ୍ରିୟା ଆମକୁ ଜୀବିତ କରି ରଖିଛି ।
ଏସବୁ ରାସାୟନିକ ପ୍ରକ୍ରିୟା କୌଣସି ନା କୌଣସି ଉତପ୍ରେରକ କାଟାଲିଷ୍ଟର ସହାୟତାରେ ସମ୍ପନ୍ନ ହୁଏ । ଏସବୁ ଉତପ୍ରେରକ ୩୭ଡଗ୍ରୀ ସେଲସିୟସରେ ଠିକଠାକ ଚାଲେ । ଏସବୁ ପ୍ରକ୍ରିୟା ସଠିକ ଚାଲିବା ଏବଂ ଆମେ ସୁସ୍ଥ ରହିବା ଲାଗି ଶରୀର ଭିତର ତାପମାନ ୩୭-୩୮ସେଲସିୟସ ରହିବା ଆବଶ୍ୟକ । ଶରୀରର ତାପମାତ୍ରା ନିୟନ୍ତ୍ରଣ ବ୍ୟବସ୍ଥା ଆଧାରରେ ଜୀବବିଜ୍ଞାନୀ ସମସ୍ତ ଜୀବଜନ୍ତୁଙ୍କୁ ଦୁଇ ଭାଗରେ ବାଂଟିଛନ୍ତି । କିଛି ଜୀବ ବାହାର ତାପମାତ୍ରା କମ ବେଶୀ ହେଲେ ବି ନିଜ ଶରୀରର ତାପମାତ୍ରା ସ୍ଥିର ରଖିପାରନ୍ତି ।
ଶରୀରରେ କିଛି ନିର୍ଦ୍ଧିଷ୍ଟ ପ୍ରକ୍ରିୟା ଯୋଗୁ ତାପମାତ୍ରା ସ୍ଥିର ରହେ । ଏମାନଙ୍କୁ ଉଷ୍ଣରକ୍ତ ବିଶିଷ୍ଟ ଜୀବ କୁହାଯାଏ । ଅନ୍ୟପ୍ରକାର ଜୀବର ଶରୀରରେ ତାପମାନ ସ୍ଥିର ରଖିବା ପାଇଁ ବ୍ୟବସ୍ଥା ନାହିଁ । ପରିବେଶର ତାପମାତ୍ରା ବଢିବା କମିବା ଅନୁଯାୟୀ ଏମାନଙ୍କ ଶରୀରର ତାପମାନ ବଢେ ବା କମେ । ତେଣୁ ଏମାନେ ତାପମାତ୍ରା ଅନୁଯାୟୀ ନିଜ ସ୍ୱଭାବ ବଦଳାନ୍ତି, ଯେମିତିକି ଛାଇକୁ ଚାଲିଯିବା, ପାଣି ଭିତରେ ପଶିଯିବା, ମାଟି ତଳେ ଲୁଚିଯିବା । ଏମାନଙ୍କୁ ଶୀତଳରକ୍ତ ବିଶିଷ୍ଟ ଜୀବ କୁହାଯାଏ ।