ଓଡ଼ିଶା 365 (ବ୍ୟୁରୋ) : ମା ନୁହେଁ ମା ନାଁରେ ସେ ଥିଲା ରାକ୍ଷସୀ । ରାଗ ମଣିଷକୁ ମାରି ଦିଏ ସତ, କିନ୍ତୁ ଗୋଟେ ମାଆର ମମତାକୁ ମାରିଦେବ ତାହା ବିଶ୍ୱାସ ହେବନି । ବିଶ୍ୱାସ ନହେଲେ ବି ଏହା ସତ ଯେ, ରାଗର ବସବର୍ତ୍ତି ହୋଇ ପିଶାଚିନୀ ସାଜିଲା ମାଆ । ସ୍ୱାମୀ ସ୍ତ୍ରୀ ଝଗଡାରୁ ନିଜ ସନ୍ତାନକୁ ହତ୍ୟା କଲା ଜନ୍ମକଲା ମାଆ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଙ୍କିଡିହି ଗ୍ରାମର ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସୂଚନା ଅନୁଯାୟୀ, ବାଙ୍କିଡିହି ଗାଁର ବାସିନ୍ଦା ସାଲାଇ ନାଏକ ଏବଂ ପାର୍ବତୀ ନାଏକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏଥିରୁ ଉତ୍ୟକ୍ତ ହୋଇ ମାଆ ଦେଢ ମାସର ଜୀବନ୍ତ ଶିଶୁପୁତ୍ରକୁ ନେଇ କେନାଲରେ ଫିଙ୍ଗିଥିଲା । ଆଜି କେନାଲରେ ଶିଶୁପୁତ୍ରକୁ ମୃତ ଅବସ୍ଥାତରେ ଭାଷୁଥିବା ଦେଖି ଗାଁ ଲୋକେ ସେଠାରୁ ଶିଶୁକୁ ଉଦ୍ଧାର କରିଥିଲେ ।
ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଶିଶୁର ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ହୃଦୟହୀନା ମାଆକୁ ଗିରଫ କରି ତଦନ୍ତ ଜାରି ରଖୀଛି ।