ଓଡ଼ିଶା 365 (ବ୍ୟୁରୋ) : ଚୀନ ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗ୍ ନିଖୋଜ ଅଛନ୍ତି । ତାଙ୍କର ଏଯାଏଁ ପତ୍ତା ଏପର୍ଯ୍ୟନ୍ତ ମିଳୁ ନାହିଁ । ଏହାରି ଭିତରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଦେଶର ଉତ୍ତରପୂର୍ବାଞ୍ଚଳକୁ ପରିଦର୍ଶନରେ ଯାଇଥିବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେନାରେ ଏକତା ଓ ସ୍ଥିରତା ପାଇଁ ଆହ୍ବାନ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପତ୍ତା ନମିଳିବା ଚିନ୍ତାର ବିଷୟ ପାଲଟିଛି। ଗତ ଅଗଷ୍ଟ ୨୯ ତାରିଖରେ ତାଙ୍କୁ ଶେଷଥର ପାଇଁ ସାଧାରଣରେ ଦେଖିବାକୁ ମିଳିଥିଲା। ସେହି ସମୟରେ ସେ ତୃତୀୟ ଚୀନ୍-ଆଫ୍ରିକା ଶାନ୍ତି ଓ ସୁରକ୍ଷା ମଞ୍ଚ ବୈଠକରେ ଉଦ୍ବୋଧନ ଦେଇଥିଲେ। ଗତ ଜୁଲାଇ ମାସରେ ଚୀନ୍ ସେନା ପାଞ୍ଚବର୍ଷ ତଳର ଏକ ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ କରିଥିଲା। ଚୀନ୍ ସେନାର କିଛି ଗୁପ୍ତ ତଥ୍ୟ ଲିକ୍ ସମେତ ୮ଟି ପ୍ରସଙ୍ଗ ଉପରେ ପିଏଲ୍ଏର ଯନ୍ତ୍ରାଂଶ ବିକାଶ ବିଭାଗ ତଦନ୍ତ କରୁଛି। ସେନା କହିଛି ଯେ ଏହି ଦୁର୍ନୀତି ୨୦୧୭ ଅକ୍ଟୋବର ମାସରେ ଘଟିଥିଲା। ସେପ୍ଟେମ୍ବର ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଲି ଥିଲେ ଯନ୍ତ୍ରାଂଶ ବିଭାଗର ମୁଖ୍ୟ। କିନ୍ତୁ ସେ କିଛି ଭୁଲ କାମ କରିଛନ୍ତି ବୋଲି ଆଗରୁ କେବେ ସନ୍ଦେହ ବି ପ୍ରକାଶ ପାଇ ନ ଥିଲା। ଗତ ଜୁନ୍ ୨୫ରେ ଶେଷଥର ପାଇଁ ଦେଶର ପୂର୍ବତନ ବିଦେଶ ବ୍ୟାପାର ମନ୍ତ୍ରୀ କିନ୍ ଗାଙ୍ଗ୍ଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କ ପତ୍ତା ନମିଳିବା ପରେ ଜୁଲାଇରେ ବିଦେଶ ମନ୍ତ୍ରୀ ପଦରୁ ତାଙ୍କୁ ବିଦା କରାଯାଇଥିଲା।
ଏକ ରିପୋର୍ଟ ଅନୁସାରେ, ଜିନପିଙ୍ଗ ସେନାରେ ଏକତା, ସୁରକ୍ଷା ଓ ସ୍ଥିରତା ଉପରେ ଗୁରୁତ୍ବ ଦେବା ସହ ସୈନ୍ୟମାନଙ୍କ ଶିକ୍ଷା ଓ ପରିଚାଳନାକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ। ଏହି ସମୟରେ ଜାପାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଚୀନ୍ର ପୂର୍ବତନ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ପୂର୍ବତନ ରକେଟ ଫୋର୍ସ ଜେନେରାଲ ତଥା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ଅନୁପସ୍ଥିତି ନେଇ ସନ୍ଦେହ ପ୍ରକାଶ କରିଥିଲେ। ଚୀନରେ ଜଣେ ପରେ ଜଣେ ପ୍ରମୁଖ ନେତା ନିଖୋଜ ହେବା ଜି ପିଙ୍ଗ ସରକାରଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି ।