ଓଡ଼ିଶା 365 (ବ୍ୟୁରୋ) : ସୁପ୍ରିମକୋର୍ଟର ଜଣେ ମହିଳା ଓକିଲଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି । ବଙ୍ଗଳା ବିକିବାକୁ ମନା କରିବାରୁ ଅଭିଯୁକ୍ତ ହତ୍ଯାକାଣ୍ଡ ଭିଆଇଥିବା ଜଣାପଡ଼ିଛି । ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀଙ୍କ ନାଁ ନୀତୀନ ନାଥ ସିହ୍ନା। ସେ ଭାରତୀୟ ରାଜସ୍ବ ସେବାର ଜଣେ ପୂର୍ବତନ ଅଧିକାରୀ ବୋଲି ପୁଲିସ କହିଛି । ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ସ୍ଥିତ ନଏଡ଼ା ସେକ୍ଟର ୩୦ରୁ ସାମ୍ନାକୁ ଆସିଛି । ନୀତୀନ ନାଥ ସିହ୍ନା ନିଜ ବଙ୍ଗଳାରେ ଏହି ଅପରାଧ ଘଟାଇଛନ୍ତି। ଅପରାଧ ଘଟାଇବା ପରେ ସେ ବଙ୍ଗଳାର ଷ୍ଟୋର୍ ରୁମ୍ରେ ୩୬ ଘଣ୍ଟାରୁ ଅଧିକ ସମୟ ଲୁଚି ରହିଥିଲେ। ମୃତ ଓକିଲ ରେଣୁ ସିହ୍ନାଙ୍କ ଭାଇ ତାଙ୍କୁ ବାରମ୍ବାର ଫୋନ୍ କରିବା ସତ୍ତ୍ବେ ସେ ଫୋନ୍ ନଉଠାଇବାରୁ ତାଙ୍କର ସନ୍ଦେହ ହୋଇଥିଲା। ପରେ ପୀଡ଼ିତାଙ୍କ ଭାଇ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ରେଣୁଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କ ବଙ୍ଗଳାରେ ପହଞ୍ଚିଥିଲା। ପୁଲିସ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲା ଏବଂ ବାଥରୁମ୍ରେ ପ୍ରଥମେ ରେଣୁଙ୍କ ମୃତଦେହ ପାଇଥିଲା। ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି । ପୁଲିସ ଜେରା ସମୟରେ ନୀତୀନ ନାଥ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ନୀତୀନ ନାଥ ସ୍ବୀକାର କରିଛନ୍ତି ଯେ ତାଙ୍କ ବଙ୍ଗଳାକୁ ୪ କୋଟି ଟଙ୍କାରେ ବିକିବାକୁ ସେ ଯୋଜନା କରିଥିଲେ। କିନ୍ତୁ ତାଙ୍କ ପତ୍ନୀ ଏହାକୁ ବିରୋଧ କରୁଥିଲେ। ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ଏହାପରେ ସେ ତାଙ୍କୁ ହତ୍ୟା କରିଥିଲେ ।ତେବେ ତାଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଏହା ଜଣାପଡ଼ିବ।