ଓଡ଼ିଶା 365 (ବ୍ୟୁରୋ): ସେଲଫି ନିଶା ଏବେ ସମନ୍ତଙ୍କୁ ଘାରିଛି। ଏଥିରୁ ବର୍ତ୍ତି ପାରିନାହାନ୍ତି ବୃଦ୍ଧା। ସେଲଫି ନେଉ ନେଉ ମହାନଦୀକୁ ଖସିପଡ଼ିଥିଲେ ବୃଦ୍ଧା। ମାତ୍ର ଅଗ୍ନିଶମ କର୍ମଚାରୀ ଠିକ୍ ସମୟରେ ଦେବଦୂତ ସାଜି ବଞ୍ଚାଇଦେଲେ ଜୀବନ । ଏଭଳି ଘଟଣା ଦେକିବାକୁ ମିଳିଛି ସମ୍ବଲପୁର ଚାଉଁରପୁର ପୋଲ ଉପରେ। ଆଜି ସକାଳେ ଚାଉଁରପୁର ବ୍ରିଜରେ ମହାନଦୀରେ ଖସିପଡ଼ିଥିବା ବୃଦ୍ଧ ମରଣମୁହଁରୁ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ କର୍ମଚାରୀଙ୍କ ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଭାବେ ଘରକୁ ଫେରି ପାରିଛନ୍ତି ବୃଦ୍ଧ । ଉଦ୍ଧାର ପାଇଥିବା ବୃଦ୍ଧଜଣକ ହେଲେ ୬୯ ବର୍ଷୀୟ ସୁରେନ୍ଦ୍ର ମୋହନ ମିଶ୍ର । ସୁରେନ୍ଦ୍ର ମୋହନ ମିଶ୍ର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବା ବେଳେ ପରିବାର ସହ ଏସଆରଆଇଟି କଲୋନୀରେ ରୁହନ୍ତି। ଆଜି ସକାଳେ ନିଜ ସ୍କୁଟିରେ ଚାଉଁରପୁର ବ୍ରିଜ ଅତିକ୍ରମ କରୁଥିବା ବେଳେ ସେଲଫି ନେବାକୁ ମନ ହେବାରୁ ସେ ଅଟକି ଯାଇଥିଲେ । ମାତ୍ର ସେ ଜାଣି ନ ଥିଲେ ତାହା ତାଙ୍କ ପାଇଁ କାଳ ପାଲଟିଯିବ । ଏନେଇ ସୁରେନ୍ଦ୍ର କୁମାର କହିଛନ୍ତି, ସ୍ନାୟୁଗତ ସମସ୍ୟା ସହ ମୋର ଆହୁରି ବହୁ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। ଆଜି ସକାଳେ ବ୍ରିଜ ନିକଟରେ ଛିଡ଼ା ହୋଇ ସେଲଫି ନେଉଥିବା ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲି। ଫଳରେ ହଠାତ୍ ଗୋଡ଼ ଖସିଯିବା ସହ ନଦୀରେ ପଡ଼ି ଯାଇଥିଲି। ପୁଣି ଥରେ ବଞ୍ଚିବା ଆଶା ନ ଥିଲା। ମାତ୍ର ନଦୀ ସ୍ରୋତରେ ଭାସୁ ଭାସୁ ଏକ ବଡ଼ ଘାସ ବୁଦା ହାତରେ ବାଜିବାରୁ ତାହାକୁ ଧରି ରହି ଯାଇଥିଲି।
ସୂଚନାଯୋଗ୍ୟ, ଆଜି ସକାଳେ ଚପଲ, ସ୍କୁଟି ରଖି ଜଣେ ବ୍ୟକ୍ତି ମହାନଦୀକୁ ଡେଇଁ ପଡ଼ିଥିବା ଖବର ପ୍ରଚାରିତ ହୋଇଥିଲା। ଏହାପରେ ତୁରନ୍ତ ବ୍ରିଜ ଉପରେ ଅସମ୍ଭାଳ ଭିଡ଼ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି।