ଓଡ଼ିଶା 365 (ବ୍ୟୁରୋ): ଶ୍ରୀମନ୍ଦିର ନାଟ ମଣ୍ଡପର ତୁରନ୍ତ ମରାମତି ହେବା ଆବଶ୍ୟକ ବୋଲି ନିକଟରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଅମିକସକ୍ୟୁରି ଏନ କେ ମହାନ୍ତି। ଉକ୍ତ ରିପୋର୍ଟକୁ ଆଧାର କରି ଗତକାଲି ହାଇକୋର୍ଟରେ ଦାୟର ହୋଇଛି ଏକ ମିସ କେସ। ଆବେଦନକାରୀ ଅଭିଷେକ ଦାସ ଏକ ମିସ କେସ କରି ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ନାଟ ମଣ୍ଡପର ଵିମ୍ ଅତ୍ୟନ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ରହିଛି, ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି ଆବଶ୍ୟକ। ଏହା ସହ ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାଲାଗି ପିଟିସନରେ ଆବେଦନ କରିଛନ୍ତି। ସେ ଆହୁରି ବି ଉଲ୍ଲେଖ ବି କରିଛନ୍ତି ପ୍ରତ୍ୟେକ ମାସରେ ମରାମତି କାମକୁ ସମୀକ୍ଷା କରାଯାଉ, ଉଭୟେ ଏଏସଆଇ ଏବଂ ଅମିକସକ୍ୟୁରି ଏନେଇ ପ୍ରତି ମାସରେ ଷ୍ଟାଟସ ରିପୋର୍ଟ ଦାଖଲ କରନ୍ତୁ ।
ସୂଚନାଯୋଗ୍ୟ, ଜଗମୋହନ ଏବଂ ନାଟ ମଣ୍ଡପର ମରାମତି ଲାଗି ପୂର୍ବରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିକଟରେ ଉକ୍ତ ମାମଲାର ଶୁଣାଣି ବେଳେ ଅମିକସକ୍ୟୁରି ଯେଉଁ ରିପୋର୍ଟ ଦାଖଲ କରିଛନ୍ତି, ନାଟ ମଣ୍ଡପର ଵିମ ଅତ୍ୟନ୍ତ ଦୁର୍ବଳ ଏବଂ ବିପଦ ସଂକୁଳ ଅବସ୍ଥାରେ ରହିଛି ବୋଲି ସେଥିରେ ଉଲ୍ଲେଖ ରହିଛି ।