ଓଡ଼ିଶା 365 (ବ୍ୟୁରୋ): ଆଜି ଭାଦ୍ରବକୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି। କୃଷ୍ଣ ବଳରାମ ବେଶରେ ସୁସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାବାହୁ। ଏହି ବେଶରେ ପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ର କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିବେ । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ରହିବ। ସେହିପରି ବଳରାମଙ୍କ ଡାହାଣ ହାତରେ ଶିଘାଂ ଓ ବାମ ହସ୍ତରେ ପଦ୍ମ ଫୁଲ ରହିବ। କିରୀଟ ଉପରେ ସପ୍ତଫେଣିଆ ସର୍ପ ମଧ୍ୟ ବିରାଜମାନ କରିବେ। ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥିବା ବେଳେ ଏହି ପାଗଦ୍ୱୟ କିରୀଟଯୁକ୍ତ ହୋଇଥାଏ।
ରତ୍ନ ସିଂହାସନ ଉପରେ ଖଞ୍ଜା ଯାଇଥିବା ଏକ କ୍ଷୁଦ୍ର କାଷ୍ଠ ନିର୍ମିତ ତଥା ଜରି ଜମ୍ୱୁରାରେ ଆଛାଦିତ ସିଂହାସନରେ ଚକାମୁଣ୍ତି ପକାଇ ପ୍ରଭୁ ପଦ୍ମାସନରେ ଉପନିବଶ କରିବେ। ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ୱ ଫୁଲ ଶୋଭାପାଇଥାଏ। ଦ୍ୱିପହର ଧୂପ ପରେ ଶ୍ରୀଜୀଉଙ୍କର ଏହି କୃଷ୍ଣ ବଳରାମ ବେଶ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହିବ। ଏହି ଦୁର୍ଲଭ ବେଶକୁ ଦର୍ଶନ କଲେ ଅନନ୍ତ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ।