ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ବ୍ରାଉନ ସୁଗାର ବେପାରରେ ଲାଗୁନି ରୋକ୍। ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି । ମାତ୍ର ଏଥିରେ ମଧ୍ୟ ଅଭିଯୁକ୍ତ ତଥା ବ୍ରାଉନ ସୁଗାର ବେପାରର ମାଷ୍ଟରମାଇଣ୍ଡ ନଡରି ପୁଣି କେଉଁଠି ନା କେଉଁଠି ବେପାର ଆରମ୍ଭ କରିଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଅନୁଗୁଳରୁ ୧୧୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ନାଲକୋ ନଗର ଥାନା କୁକୁଡାଙ୍ଗ ଗାଁର ସରୋଜ ପ୍ରଧାନ ନାମକ ଜଣେ ବ୍ୟକ୍ତି ବ୍ରାଉନସୁଗାର ଧରି ଗ୍ରାହକ ଅପେକ୍ଷାରେ ଥିଲାବେଳେ ପୁର୍ବରୁ ଖବର ପାଇ ସେହି ସ୍ଥାନରେ ଛକି ବସିଥିବା ଅବକାରୀ ବିଭାଗର ଟିମ୍ ସରୋଜଙ୍କୁ ମାଡି ବାସିଥିଲା । ଯାଞ୍ଚ ବେଳେ ଅଭିଯୁକ୍ତ ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ହେବ ଓ ସରୋଜକୁ ପଚରାଉଚରା କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି ।
ସେପଟେ ବାଙ୍କୀ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରୁ ଧଳା ଜହର ବିକ୍ରି ବେଳେ ମାଡ଼ି ବସିଲା ଅବକାରୀ ବିଭାଗ ଅଧିକାରୀ । ଏହାସହ ବାଙ୍କୀ ନୂଆଗାଁ ଅଞ୍ଚଳର ପ୍ରତାପ ରାଉତକୁ ଗିରଫ କରିଛି ଅବକାରୀ ବିଭାଗ । ତାଙ୍କ ନିକଟରୁ ୧୦୫ ଗ୍ରାମ ବାଉନସୁଗାର ସହ ଏକ ସ୍କୁଟିକୁ ଜବତ କରାଯାଇଛି । ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ତେବେ ଏ ସମ୍ପର୍କରେ ଅଧିକ ଖୋଳତାଡ କରି ତଦନ୍ତ ଆରମ୍ଭ କରିବା ସହିତ ଆଗକୁ ଆହୁରି ବଡ଼ ରାକେଟ ଠାବ କରାଯିବ ବୋଲି କହିଛନ୍ତି ଆଠଗଡ଼ ଡେପୁଟି ସୁପରିଟେଣ୍ଡଣ୍ଟ । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୋଦ କୁମାର ପଣ୍ଡା ।