ଓଡ଼ିଶା 365 (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବିନ ଅବଦୁଲଅଜିଜ ଅଲ ସଉଦ । ଏହି ଆଲୋଚନା ହାଇଦ୍ରାବାଦ ହାଉସରେ ହୋଇଛି । ସାମଗ୍ରିକ ଶକ୍ତି କ୍ଷେତ୍ରରେ ଭାଗିଦାରିତା ଉପରେ ସାଉଦୀ ଯୁବରାଜ ଓ ମୋଦୀଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟବେଶିତ ଥିବା ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ମଧ୍ୟ ଏହି ଆଲୋଚନାରେ ଉପସ୍ଥିତ ଅଛନ୍ତି। ଏହାଛଡ଼ା, ମୋଦୀ ଓ ସାଉଦୀ ଯୁବରାଜ ‘ଫାଷ୍ଟ୍ ଲିଡର୍ସ ମିଟିଙ୍ଗ୍ ଅଫ୍ ଦି ଷ୍ଟ୍ରାଟେଜିକ୍ ପାର୍ଟନର୍ସିପ୍ କାଉନ୍ସିଲ୍’ରେ ମିଳିତ ଭାବେ ଅଧ୍ୟକ୍ଷତା କରିବେ ବୋଲି ଆଶା କରାଯାଉଛି। ଏଥିରେ ହୋଇଥିବା ଅଗ୍ରଗତି ସମ୍ବନ୍ଧରେ ଉଭୟ ନେତା ସମୀକ୍ଷା କରିବେ। ୨୦୧୯ ଫେବ୍ରୁଆରି ପରଠାରୁ ଏହା ହେଉଛି ସାଉଦୀ ଯୁବରାଜଙ୍କ ଦ୍ବିତୀୟ ସରକାରୀ ଭାରତ ଗସ୍ତ। ‘ଜି୨୦’ ଶିଖର ସମ୍ମିଳନୀ ଆରମ୍ଭ ଆଗରୁ, ସେପ୍ଟେମ୍ବର ୮ ତାରିଖରେ ସେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। କିନ୍ତୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା ନିମନ୍ତେ ସେ ତାଙ୍କ ରହଣି ସମୟ ବୃଦ୍ଧି କରିଥିଲେ। କ୍ରାଉନ ପ୍ରିନ୍ସ ୩ ଦିନିଆ ଗସ୍ତରେ ଦିଲ୍ଲୀରେ ଅଛନ୍ତି । ସୋମବାର ତାଙ୍କ ଗସ୍ତର ଶେଷ ଦିନ । ସେ ରାତି ୮ଟା ୩୦ରେ ନୂଆଦିଲ୍ଲୀ ଛାଡିବେ ।