ଓଡ଼ିଶା 365 (ବ୍ୟୁରୋ): ଭାରତରେ ଜି -୨୦ ସମ୍ମିଳନୀର ସଫଳ ଆୟୋଜନକୁ ନେଇ ସମଗ୍ର ଦେଶ ବିଦେଶରେ ଚର୍ଚ୍ଚା ଜୋର ଧରିଛି । ଚା’ ଖଟିଠୁ ଆରମ୍ଭ କରି ନେତା, ମନ୍ତ୍ରୀ, କଳାକାର ସଭିଙ୍କ ମୁହଁରେ ଜି -୨୦ ସମ୍ମିଳନୀର ସଫଳତାର ଗାଥା । ଏହାସହ ।ସେମାନେ ଭାରତୀୟ ବୋଲି ନିଜକୁ ଗର୍ବ ମନେ କରୁଛନ୍ତି । ଭାରତ ପାଇଁ ଗର୍ବ ଆଣିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଥିପାଇଁ ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଗତକାଲି ଦିଲ୍ଲୀରେ ଶେଷ ହୋଇଥିଲା ଦୁଇଦିନିଆ ଜି-୨୦ ସମ୍ମିଳନୀ। ଏହି ମହାସଭାରେ ଯୋଗ ଦେଇଥିଲେ ବିଶ୍ୱର ଶକ୍ତିଶାଳୀ ଲିଡର। ଜି -୨୦ ଶିଖର ସମ୍ମିଳନୀରେ ଦିଲ୍ଲୀ ଘୋଷଣାକୁ ଅନୁମୋଦନ କରାଯାଇଛି। ଏହା ବ୍ୟତୀତ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ନେତାମାନଙ୍କ ସହିତ ସାତୋଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ସମ୍ମିଳନୀ ଦ୍ୱିତୀୟ ସେସନ୍ରେ ଜି-୨୦ ଲିଡର୍ସ ଘୋଷଣା ପତ୍ରରେ ୭ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଆଫ୍ରିକା ୟୁନିଅନକୁ ଜି-୨୦ରେ ସାମିଲ କରାଯିବା ସହ ଦିଲ୍ଲୀର ମିଳିତ ଘୋଷଣାନାମା ଜାରି କରାଯାଇଛି।ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାରେ ପଛଘୁଞ୍ଚା ଦେଇନାହାନ୍ତି ବଲିଉଡ ଷ୍ଟାରମାନେ । ସଫଳ ଜି -୨୦ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଅକ୍ଷୟ କୁମାର, ଶାହାରୁଖ ଖାନଙ୍କ ସମେତ ଅନେକ ବଡ଼ ବଡ଼ ତାରକା ।
ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ଅକ୍ଷୟ କୁମାର ଲେଖିଛନ୍ତି ଯେ, “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ। ଏକ ଐତିହାସିକ ଜି-୨୦ ସମ୍ମିଳନୀକୁ ଚିହ୍ନିତ କରିବାର କି ଚମତ୍କାର ଉପାୟ । ଭାରତର ନେତୃତ୍ୱ ପ୍ରମାଣ କରିଛନ୍ତି ଯେ ବସୁଧୈୟ କୁଟୁମ୍ବକମ୍ ହେଉଛି ନୂଆ ବିଶ୍ୱ ଶୃଙ୍ଖଳାର ବାସ୍ତବତା। ମୁଁ ଜଣେ ଭାରତୀୟ ଭାବରେ ନିଜକୁ ଗର୍ବିତ ମନେ କରୁଛି । ଆଜି ଆମେ ଦେଶବାସୀଙ୍କ ମୁଣ୍ଡକୁ ଉଚ୍ଚ କରି ରଖିଛୁ। ଧନ୍ୟବାଦ ମୋଦୀ ଜୀ। ସମସ୍ତଙ୍କୁ ଧନ୍ୟବାଦ। ଜୟ ହିନ୍ଦ ଜୟ ଭାରତ ମାତା ।”
ସେହିପରି ବଲିଉଡ କିଙ୍ଗ୍ ଶାହରୁଖ ଖାନ୍ ଲେଖିଛନ୍ତି ଯେ, “ଭାରତର ଜି-୨୦ ବିରାଟ ଆୟୋଜନ ନେଇ ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ବିଶ୍ୱବାସୀଙ୍କ ଉତ୍ତମ ଭବିଷ୍ୟତ ନିମନ୍ତେ ରାଷ୍ଟ୍ର ମଧ୍ୟରେ ଏକତାକୁ ବଢାଇବା ପାଇଁ ଯେଉଁ ଆରମ୍ଭ ଆପଣ କରିଛନ୍ତି, ତାହା ଅଦ୍ଭୁତପୂର୍ବ। ଏହା ସମଗ୍ର ବିଶ୍ୱପାଇଁ ଭାରତର ସମ୍ମାନ ଓ ଗର୍ବ। ଆମେ ପରସ୍ପର ଭିତରେ ଭିନ୍ନତା ଦେଖିବାନି, ଏକାଠି ହେବା। ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ହେବା ଉଚିତ୍ ।”
ଏହାସହ ବଲିଉଡର ବିଗ୍ ବି ମଧ୍ୟ ନୂଆ ଭାବରେ ପ୍ରତିଷ୍ଠିତ ଭାରତ ମଣ୍ଡପମ୍ ଆନ୍ତର୍ଜାତୀୟ ପ୍ରଦର୍ଶନୀ-ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ଜି-୨୦ ର ୧୮ତମ ବୈଠକରେ ଖୁସି ବ୍ୟକ୍ତ କରି ଲେଖିଛନ୍ତି ଯେ, “ଜି-୨୦ ପ୍ରାଉଡ୍ ଅଫ୍ ଇଣ୍ଡିଆ । ଭାରତ ମାତା କି ଜୟ ।“ ଏହାସହ ଅନୀଲ କପୁର ମଧ୍ୟ ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, “ଜି -୨୦ ଶିଖର ସମ୍ମିଳନୀରେ ଭାରତର ନେତୃତ୍ୱ ଅତ୍ୟନ୍ତ ସଫଳ ହୋଇଛି ଏବଂ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ବିଶ୍ୱର ଲୋକଙ୍କ ଭବିଷ୍ୟତ ପାଇଁ ଅଭିନନ୍ଦନ ଜଣାଉଛି। ତୁମର ଅକ୍ଲାନ୍ତ ପରିଶ୍ରମ ପାଇଁ ଆପଣଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛନ୍ତି ।“
ଏଥିସହ ଅନୁପମ ଖେର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ଯେ, “ଭାରତ ସରକାରଙ୍କୁ ଏବଂ ବିଶେଷ କରି ଜି -୨୦ ସମ୍ମିଳନୀର ସଫଳ ସଂଗଠନ ପାଇଁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆପଣ ୧୪୦ କୋଟି ଭାରତୀୟଙ୍କ ହୃଦୟକୁ ଗର୍ବରେ ପରିପୂର୍ଣ୍ଣ କରିଛନ୍ତି । ସରଳତା, ନିଷ୍ଠା ଏବଂ ନମ୍ରତା ସହିତ, ଆପଣ ସମସ୍ତଙ୍କୁ ଦେଖାଇଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ଵକୁ ଆଗେଇ ନେବା ପାଇଁ କିପରି ସାମର୍ଥ୍ୟ ରଖିଛି। ଆମକୁ ଗର୍ବିତ ଅନୁଭବ କରିଥିବାରୁ ଧନ୍ୟବାଦ । ଜୟ ଭାରତ.. ।“