ଓଡ଼ିଶା 365 (ବ୍ୟୁରୋ) : ଭାରତ ଅଧ୍ୟକ୍ଷତାରେ ହୋଇଥିବା ଜି-୨୦ ସମ୍ମିଳନୀ ସଫଳତାର ସହ ସଂପନ୍ନ ହୋଇଛି । କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ ଦେଖି ବିଶ୍ୱସ୍ତରୀୟ ନେତାମାନେ ଭାରତର ଖୁବ ପ୍ରଶଂସା କରିଛନ୍ତି । ଭାରତର ଜି-୨୦ ଅଧ୍ୟକ୍ଷତାକୁ ବିଶ୍ବ ନେତାମାନେ ପ୍ରଶଂସା କରିବା ସହ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର’ ଆଭିମୁଖ୍ୟ ବିଶ୍ବକୁ ଏକଜୁଟ କରିବାରେ ବଡ଼ ଭୂମିକା ନେବ ବୋଲି କହିଛନ୍ତି । ଯାହାକି ବୈଶ୍ବିକସ୍ତରରେ ଭାରତର ପ୍ରାଧାନ୍ୟ ବଢ଼ାଇଛି । ସେହିପରି ବିଶ୍ବ ନେତାମାନେ ଭାରତର ଆତିଥ୍ୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନିର୍ଣ୍ଣାୟକ ନେତୃତ୍ବ’ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଅନେକ ପ୍ରଶଂସା କରିଛନ୍ତି। ସେପଟେ ନୂଆଦିଲ୍ଲୀ ଘୋଷଣାନାମାକୁ ଚୀନ୍, ରୁଷ୍ ଏବଂ ୟୁରୋପୀୟ ରାଷ୍ଟ୍ରମାନେ ଏକମତରେ ଗ୍ରହଣ କରିନେବା ଏକ ବିରଳ ସଫଳତା ବୋଲି ବିଶ୍ବ ନେତାମାନେ କହିଛନ୍ତି। ଆଫ୍ରିକୀୟ ସଂଘ ସଭାପତି ଅଜାଲି ଅସୁମାନି କହିଛନ୍ତି, ଭାରତ ବିଶ୍ବର ପଞ୍ଚମ ମହାଶକ୍ତି ଭାବେ ଆଫ୍ରିକା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି। ଏବେ ଭାରତ ଚୀନ୍ଠାରୁ ଆଗରେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବ ପାଇଁ ହିଁ ଆମେ (ଆଫ୍ରିକୀୟ ସଂଘ) ବିନା ବିତର୍କରେ ଜି-୨୦ର ସଦସ୍ୟ ହୋଇପାରିଲୁ ବୋଲି ଆଫ୍ରିକୀୟ ସଂଘ ସଭାପତି ଅଜାଲି ଅସୁମାନି କହିଛନ୍ତି। ସେହିପରି କାର୍ଯ୍ୟକ୍ରମ ଆୟୋଜନରେ ଭାରତୀୟଙ୍କ ଦକ୍ଷତା ପାଇଁ ବ୍ରାଜିଲ୍ ରାଷ୍ଟ୍ରପତି ଲୁଲା ଡା ସିଲ୍ଭା ମଧ୍ୟ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସବୁ ଦୃଷ୍ଟିରୁ ଏହି ସମ୍ମିଳନୀର ସଫଳତା ଜି-୨୦କୁ ଅଧିକ ସଶକ୍ତ କରିଛି ବୋଲି ସେ ମତ ରଖିଛନ୍ତି ।