ଓଡ଼ିଶା 365 (ବ୍ୟୁରୋ): ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ବାଦଶୀ ତିଥି ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଳଭଦ୍ରଙ୍କ ପ୍ରଳମ୍ବାସୁର ବଧ ବିଧି । ଏଣୁ ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶରେ ଦର୍ଶନ ଦେବେ ବଡ଼ ଠାକୁର ବଳଭଦ୍ର। ଶାସ୍ତ୍ର ଅନୁଯାୟୀ, ଦ୍ବାପର ଯୁଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳକ ମାନଙ୍କ ସହ ଖେଳୁଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ ପଠାଇଥିଲେ ପ୍ରଳମ୍ବାସୁର ନାମକ ଜଣେ ପ୍ରଚଣ୍ଡ ବଳର ଅଧିକାରୀ ଏକ ଦୈତ୍ୟକୁ । ପ୍ରଳମ୍ବାସୁର ପ୍ରଭୁ ବଳଭଦ୍ରଙ୍କୁ ଆକ୍ରମଣ କରି ଉପରକୁ ଟେକି ନେଇଯିବା ସମୟରେ ସ୍ବୟଂ ବଳଭଦ୍ର ମହାପ୍ରଭୁ ମୁଷ୍ଟିକା ଘାତ କରି ପ୍ରଳମ୍ବାସୁରକୁ ବିନାଶ କରିଥିଲେ ।
ସୂଚନାଯୋଗ୍ୟ, ମହାପ୍ରଭୁଙ୍କର କାଳୀୟଦଳନ ବେଶ ସରିବା ପରେ ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଏହି ବେଶ ଅନୁଷ୍ଠିତ ହେବ । କାଷ୍ଠ, ବେତ , କଳା କନା , ଧଳା କନା ଓ ନୀଳ କନାରେ ୪ ଫୁଟର ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳନ୍ଦାସୁର ମୂର୍ତ୍ତିକୁ ରତ୍ନ ସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜ୍ଜିତ କରାଯାଏ । ପ୍ରଳମ୍ବାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ର ସାଧାରଣ ବେଶରେ ବିରାଜମାନ କରିଥିବାବେଳେ ଅସୁରର ସ୍କନ୍ଧ ଓ ଦୁଇ ଭୁଜରେ ପ୍ରଭୁ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ହୁଏ । ତେବେ ଏହି ଦୃଶ୍ୟ ଦେଖିବା ଲାଗି ଆଜି ପୁରୀରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି ।