ଓଡ଼ିଶା 365 (ବ୍ୟୁରୋ): ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ୍ର ଖିଲାଡ଼ି ଅକ୍ଷୟ କୁମାର । ଏହି ଅବସରରେ ଖିଲାଡି କୁମାର ତାଙ୍କ ଫ୍ୟାନ୍ସ ମାନଙ୍କୁ ଏକ ସରପ୍ରାଇଜ୍ ଦେଇଛନ୍ତି । ଗତ ଶନିବାର ଦିନ ଅପକମିଙ୍ଗ୍ ଫିଲ୍ମ ‘ୱେଲକମ୍-୩’ ଘୋଷଣା କରିଛନ୍ତି ଅକ୍ଷୟ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ଫ୍ୟାନ୍ସ ମାନଙ୍କ ଦିଲ୍ ଖୁସ୍ କରିଛନ୍ତି ଅକ୍ଷୟ କୁମାର । ଏହି ଭିଡିଓରେ ସେ ଫିଲ୍ମ ବିଷୟରେ ଲେଖିଛନ୍ତି ଯେ, ‘ନିଜକୁ ଓ ଆପଣ ସମସ୍ତଙ୍କୁ ମୁଁ ଏକ ଉପହାର ଦେଉଛି । ଯଦି ଆପଣଙ୍କୁ ଏହା ପସନ୍ଦ ଆସିବ ଓ ଆପଣ ଧନ୍ୟବାଦ କହିବେ, ତେବେ ମୁଁ କହିବି ‘ୱେଲ୍କମ-୩’ । ସୂଚନା ଅନୁଯାୟୀ, ଗତ ଦୁଇ ଦିନରେ ଅକ୍ଷୟ ଦୁଇଟି ଫିଲ୍ମ ଘୋଷଣା କରିଛନ୍ତି । ଗତ ୭ ତାରିଖରେ ସେ ‘ମିଶନ୍ ରାନୀଗଞ୍ଜ’ ଫିଲ୍ମ ଘୋଷଣା କରିଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ‘ୱେଲ୍କମ-୩’ ଫିଲ୍ମ ଘୋଷଣା କରିଥିଲେ । ଏହି ଫିଲ୍ମ ଜଙ୍ଗଲ ଥିମ୍ ଉପରେ ପର୍ୟ୍ୟବସିତ । ସବୁଠୁ ବଡ଼ କଥା ହେଉଛି ଏଥିରେ ୨୫ ଜଣ କଳାକାରଙ୍କ ଦମ୍ ଦେଖିବାକୁ ମିଳିବ ।
ଏହି ଫିଲ୍ମରେ ଅକ୍ଷୟଙ୍କ ସହ ସ୍କ୍ରିନ୍ ଶେୟାର କରିବେ ‘ମସ୍ତ ମସ୍ତ’ ଗର୍ଲ ରବିନା ଟଣ୍ଡନ । ଏହାସହ ସଂଜୟ ଦତ୍ତ, ସୁନୀଲ ଶେଟ୍ଟୀ, ଅରଶଦ ୱାରସି, ପରେଶ ରାୱଲ, ଜନି ଲିଭର, ରାଜପାଲ ଯାଦବ, ତୁଷାର କପୁର, ଶ୍ରେୟସ ତଲପଡ଼େ, କୃଷ୍ଣା ଅଭିଷେକ, କିକୁ ଶାରଦା, ଦଲେର ମେହନ୍ଦି, ମିକା ସିଂହ, ରାହୁଲ ଦେବ, ମୁକେଶ ଋଷି, ଶାରିବ ହାଶମି, ଇନାମୁଲ ହକ, ଜାକିର ହୁସେନ, ୟଶପାଲ ଶର୍ମା, ଲାରା ଦତ୍ତା, ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍, ଦିଶା ପଟାନିଙ୍କୁ ପ୍ରମୁଖ ନଜରରେ ଦେଖିବାକୁ ମିଳିବ । ଅକ୍ଷୟ ସେୟାର କରିଥିବା ଭିଡିଓରେ ସମସ୍ତ କଳାକାର ଜଙ୍ଗଲରେ ଅସ୍ତ୍ର ଧରି ଠିଆ ହୋଇଛନ୍ତି ଏବଂ ସମବେତ କଣ୍ଠରେ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ୨୦୦୭ ଓ ୨୦୧୫ରେ ‘ୱେଲ୍କମ’ର ଦୁଇଟି ସଂସ୍କରଣ ରିଲିଜ୍ ହୋଇଥିଲା। ଅନୀସ ବଜ୍ମୀ ଉଭୟର ନିର୍ଦ୍ଦେଶନା ଦେଇଥିଲେ । ଏଥର କିନ୍ତୁ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି ଅହମଦ ଖାନ୍ । କାହାଣୀ ଲେଖିଛନ୍ତି ଫରହାଦ ସାମଜୀ।