ଓଡ଼ିଶା 365 (ବ୍ୟୁରୋ) : ନୂଆଦିଲ୍ଲୀଠାରେ ଆୟୋଯିତ ଜି-୨୦ ଶିଖର ସମ୍ମିଳନୀ ସଫଲ ହୋଇଛି । ଚଳିତ ବର୍ଷ ଜି-୨୦ର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରାଷ୍ଟ୍ରପତିଙ୍କୁ ଆନୁଷ୍ଠାନିକ ଭାବେ ଜି୨୦ ଅଧ୍ୟକ୍ଷତାର ପ୍ରତୀକ ଗାଭେଲ (ହାତୁଡ଼ି) ହସ୍ତାନ୍ତର କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍ଯାପନୀ ବକ୍ତବ୍ୟରେ କହିଛନ୍ତି, ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର’ ଅଧିବେଶନରେ ଆମେ ବ୍ୟାପକ ଆଲୋଚନା କରିଥିଲୁ। ଆଜି ଜି-୨୦ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଦୃଷ୍ଟିକୋଣକୁ ନେଇ ଆଶାବାଦୀ ଉଦ୍ୟମ ପାଇଁ ଏକ ମଞ୍ଚ ହୋଇପାରିଥିବାରୁ ମୁଁ ସନ୍ତୁଷ୍ଟ। ଏହାସହ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମାପନ ଭାଷଣରେ ଜାତିସଂଘରେ ବଡ଼ ଧରଣର ସଂସ୍କାର ଆଣିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଜାତିସଂଘ ସ୍ଥାପନା ସମୟରେ ଏହାର ସଦସ୍ୟ ସଂଖ୍ୟା ୫୧ ଥିବା ବେଳେ ଏବେ ଏହା ପ୍ରାୟ ୨୦୦ରେ ପହଞ୍ଚିଲାଣି। ଜାତିସଂଘରେ ନୂଆ ବୈଶ୍ବିକ ସଂରଚନାର ପ୍ରତିଫଳନ ହେବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।