ଓଡ଼ିଶା 365 (ବ୍ୟୁରୋ): ଏସିଆ କପ୍ ସୁପର ୪ ମୁକାବିଲାରେ ପାକିସ୍ତାନ ବିପକ୍ଷ ଲଢ଼େଇରେ ଛକା ମାରି ୫୦ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା।ସେ ୪୯ ବଲରୁ ୫୬ ରନର ପାରି ଖେଳିଥିଲେ, ସେଥିରେ ୪ଟି ଛକା ଓ ୬ଟି ଚୌକା ସାମିଲ ରହିଛି। ୫୬ ରନରୁ ୪୮ ରନ୍ ବାଉଣ୍ଡରୀରୁ ହାସଲ କରିବା ସହ ଏସିଆ କପରେ ଲଗାତର ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ରୋହିତ୍। ନିଜର ଅର୍ଦ୍ଧଶତକୀୟ ଇନିସଂ ବଳରେ ରୋହିତ କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ମଧ୍ୟ ସମକକ୍ଷ ହୋଇଛନ୍ତି । ପାକିସ୍ତାନ ବିପକ୍ଷରେ ଦିନିକିଆ ଏସିଆ କପ୍ରେ ସବୁଠୁ ଅଧିକ ୬ ଅର୍ଦ୍ଧଶତକ ହାସଲ କରିଛନ୍ତି ରୋହିତ୍ । ତାଙ୍କ ପରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକର, ସନଥ ଜୟସୁରିୟା ଓ କୁମାର ସାଙ୍ଗାକାରା। ତିନିଜଣ ଖେଳାଳି ୫ଟି ଲେଖାଏଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ଇନିଂସର ପ୍ରଥମ ଓଭରରେ ଦ୍ରୁତ ବୋଲର ଶାହୀନ ଆଫ୍ରିଦିଙ୍କ ବଲ୍ରେ ଛକା ମାରି ଦୁନିଆର ପ୍ରଥମ କ୍ରିକେଟ୍ର ହୋଇଛନ୍ତି। ଚଳିତ ବର୍ଷ ଦିନିକିଆରେ ୧୦ ଓଭରରେ ସର୍ବାଧିକ ଛକାର ରେକର୍ଡ ରୋହିତ ନିଜ ନାଁରେ କରିଛନ୍ତି ।
କଲମ୍ବୋରେ ରୋହିତ-ଗିଲଙ୍କ ଅର୍ଦ୍ଧଶତକୀୟ ପାରି ଦେଖିବାକୁ ମିଳିଛି। ଗିଲ୍ ୫୨ ବଲରୁ ୫୮ ରନର ଇନିସଂ ଖେଳିବା ସହ ,ଏସିଆ କପରେ ଦ୍ୱିତୀୟ ଏବଂ ପାକିସ୍ତାନ ବିପକ୍ଷରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ରବିବାର ବର୍ଷା କାରଣରୁ ମ୍ୟାଚ୍ ସ୍ଥଗିତ ରହିଛି।୨୪.୧ ଓଭରରେ ଖେଳି ଭାରତ ୨ ୱିକେଟ୍ ହରାଇ ୧୪୭ ରନ କରିଥିଲା। ରାହୁଲ ୧୭ ଓ ବିରାଟ କୋହଲି ୮ ରନ କରି ଅପରାଜିତ ରହିଛନ୍ତି। ପାକିସ୍ତାନ ପକ୍ଷରୁ ଶାହୀନ ଆଫ୍ରିଦି ଓ ସହଦେବ ଖାନଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍ ମିଳିଛି। ସୋମବାର ରିଜର୍ଡ ଡେରେ ମ୍ୟାଚ ଉପରେ ରହିଛି ଫ୍ୟାନଙ୍କ ନଜର। ଏସିଆ କପ ସୁପର ୪ ମୁକାବିଲା ଜିତିଲେ ଭାରତ ପାଇଁ ଫାଇନାଲ ପଥ ପରିଷ୍କାର ହେବ,ପାକିସ୍ତାନ ମ୍ୟାଚ ଜିତିଲେ ଏସିଆ କପରେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ।