ଓଡ଼ିଶା 365 (ବ୍ୟୁରୋ):
ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତିରେ ଯେଉଁ ଖଣ୍ଡଯୁଦ୍ଧ
ଚାଲିଛି ତାହା ଧିରେ ଧିରେ ବଡ଼ ଝଡ଼ର ଆଭାସ ଦେଉଛି । ଜଣଙ୍କ
ପରେ ଜଣେ ମନ୍ତ୍ରୀ ଓ ବିଧାୟକ ସୌମ୍ୟଙ୍କୁ ସଣ୍ଢୁଆସୀ ଆକ୍ରମଣ କରିବାରେ ଲାଗିଛନ୍ତି। ଯାହେକୁ ନାପସନ୍ଦ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । କଂଗ୍ରେସ ନେତା
ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ବିଜେଡି ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ଆତ୍ମସମ୍ମାନ ନେଇ ପ୍ରଶ୍ନ କରିଛନ୍ତି ।
ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଜଣେ ପରେ ବିଧାୟକ, ମନ୍ତ୍ରୀ ଆସି ଦେଉଥିବା ବୟାନକୁ ନାପସନ୍ଦ କରିଛନ୍ତି ଉଭୟ କଂଗ୍ରେସ ଓ
ବିଜେପି । ସୌମ୍ୟଙ୍କ ସପକ୍ଷରେ ବାହାରି ଆଜି ବିଧିବଦ୍ଧ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ
। ଦଳର ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରଶ୍ନ କରିଛନ୍ତି, ବିଜେଡିର ଯେଉଁମାନେ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କହୁଛନ୍ତି
ସେମାନଙ୍କର ପରିଚୟ କ’ଣ? ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ କଥାରେ ଏହି ନେତାମାନେ ସୌମ୍ୟଙ୍କ
ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ସେମାନେ ଜାଣିରଖିବା ଉଚିତ୍ ଯେ, ସୌମ୍ୟବାବୁ ହିମାଳୟ ପର୍ବତ, ତାଙ୍କ
ଉପରକୁ ଟେକା ଫିଙ୍ଗିଲେ କିଛି ପ୍ରଭାବ ପଡିବ ନାହିଁ । ସୌମ୍ୟ ପଟ୍ଟନାୟକ କେବେ ପଦପଦବୀ ପଛରେ
ଗୋଡ଼ାନ୍ତି ନାହିଁ ।
ସୂଚନାଯୋଗ୍ୟ ଯେ, ସମ୍ବାଦରେ
ସମ୍ପାଦକୀୟ ଲେଖି ସୌମ୍ୟ ପଟ୍ଟନାୟକ କେତେକ ନୈତିକ ପ୍ରଶ୍ନ ଉଠାଇବା ପରେ, ଲଗାତର ୩ ଦିନ ହେଲା ୩ ଜଣ ମନ୍ତ୍ରୀ ସୌମ୍ୟ ପଟ୍ଟନାୟକଙ୍କ ବିରୋଧୀ
ମନ୍ତବ୍ୟ ଦେଇଆସୁଛନ୍ତି । ଯେଉଁଥିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ବିଜେପି ସାଂସଦ ଅପରାଜିତା
ଷଡଙ୍ଗୀ । ସାଂସଦ କହିଛନ୍ତି, ୨୩ ବର୍ଷ ହେଲା ମୁଖ୍ୟମନ୍ତ୍ରୀ କାହାରି ଉପରେ ବିଶ୍ୱାସ
ନକରିବା ଆଶ୍ଚର୍ଯ୍ୟର କଥା । ଜଣେ ନିମ୍ନ ପଦସ୍ଥ ସରକାରୀ କର୍ମଚାରୀଙ୍କ ଉପରେ କାହିଁକି ବିଶ୍ୱାସ
କରିବେ? ତେଣୁ ବିଜେଡିର ବିଧାୟକ, ସାଂସଦ
ଓ ମନ୍ତ୍ରୀମାନେ ସେମାନଙ୍କ ଆତ୍ମସମ୍ମାନ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଜେପି ସାଂସଦ ।
ସତ କହିବାକୁ ସୌମ୍ୟବାବୁଙ୍କ ସାହସ ରହିଛି, ତେଣୁ
ବିଜେଡି ନେତାମାନେ ସତ ସହ ଛିଡ଼ା ହୁଅନ୍ତୁ । ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ମଧ୍ୟ ଟ୍ୱିଟ୍
କରି ପ୍ରଶ୍ନ କରିଛନ୍ତି ଯେ, ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ସଚିବଙ୍କ ଅଗଣତାନ୍ତ୍ରିକ
କାର୍ଯ୍ୟକଳାପକୁ ସମାଲୋଚନା କରୁଛନ୍ତି ଏଥିରେ ମନ୍ତ୍ରୀମାନେ କାହିଁକି ଉତ୍ତର ଦେଉଛନ୍ତି ।
ବିଜେଡି ନେତାଙ୍କ ସଚିବ ବନ୍ଦନାର କାରଣ କେବଳ ଟିକେଟ୍ କଟିବା ଭୟ ବୋଲି ପ୍ରଶ୍ନ କରିଛନ୍ତି
ସୌମ୍ୟ।