ଓଡ଼ିଶା 365 (ବ୍ୟୁରୋ): ସୁନ୍ଦର ଚେହେରା କିଏ ବା ନଚାହେଁ । ପୁଅ ହୁଅନ୍ତୁ ଅବା ଝିଅ ସଭିଏଁ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣେଇଥାନ୍ତି । ଏଥିପାଇଁ ବିୟୁଟି ପାର୍ଲର ଠାରୁ ଆରମ୍ଭ କରି ଘରୋଇ ଉପଚାର ପର୍ଯ୍ୟନ୍ତ ଅନେକ ତରିକା ଆପଣେଇଥାନ୍ତି । ହେଲେ ଏହା କେତେଙ୍କ ଚେହେରା ଉପରେ କୁପ୍ରଭାବ ପକାଇଥାଏ । ସୁନ୍ଦର ହେବା ବଦଳରେ ଚେହେରା ଅସୁନ୍ଦର ହୋଇଯାଇଥାଏ । ସୁନ୍ଦର ଚେହେରା ପାଇଁ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ହେଲେ ଏମିତି କିଛି ଉପାୟ ଅଛି ଯାହା ଆପଣଙ୍କ ଚିନ୍ତା ଦୂର କରିବାରେ ବେଶ୍ ସହାୟକ ହେବ ।
ଧନିଆ ପତ୍ର ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକାରକ। ପ୍ରତିଦିନର ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ରରେ ଆଣ୍ଟି-ଅକ୍ସିଡେଣ୍ଟସ୍, ବିଟା କେରୋଟିନ୍ , ଭିଟାମିନ୍ ସି ଏବଂ ଫୋଲେଟ ତ୍ବଚା ପାଇଁ ରାମବାଣ ପରି କାମ କରିଥାଏ । ଧନିଆ ପତ୍ରରେ ଆଣ୍ଟି-ଫଙ୍ଗଲ୍ ତତ୍ତ୍ୱ ଥାଏ ଯାହା ସ୍କିନ୍ ଇନଫେକ୍ସନ୍ ହେବାରୁ ବଞ୍ଚାଇଥାଏ । ଏହାସହ କମ୍ ବୟସରେ ବୟସ୍କ ଦେଖାଯାଉଥିବା ଚେହେରାରେ ମଧ୍ୟ ପରିବର୍ତ୍ତନ ଆଣିଥାଏ ଏହି ଧନିଆ ପତ୍ର । ତୈଳାକ୍ତ ତ୍ୱଚା ପାଇଁ ଧନିଆ ପତ୍ର ଖୁବ୍ ଲାଭକାରୀ ହୋଇଥାଏ। ଏହା ତ୍ୱଚାରୁ ତୈଳକୁ ଶୁଖାଇ ଦେଇଥାଏ ଏବଂ ଚେହେରାରେ ଦାଗ , କୁଞ୍ଚନକୁ ମଧ୍ୟ ଦୂର କରିବାରେ ବେଶ୍ ସହାୟକ ହୋଇଥାଏ ।
ଆପଣ ଜାଣନ୍ତି କି, ଧନିଆରୁ ପ୍ରସ୍ତୁତ ଫେସପ୍ୟାକ୍ ତ୍ୱଚା ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଚେହେରାକୁ ଉଜ୍ଜଳ ଏବଂ ଅଏଲ୍ ଫ୍ରି କରିବା ପାଇଁ ଧନିଆ ପତ୍ରକୁ ବାଟି ଏଥିରେ ଘିକୁଆଁରୀ ରସ ଏବଂ ଲେମ୍ବୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଭଲ ଭାବେ ଚେହେରାରେ ଲଗାନ୍ତୁ, ଏବଂ ଅଧଘଣ୍ଟା ପରେ ଥଣ୍ଡା ପାଣିରେ ମୁହଁ ଧୋଇନିଅନ୍ତୁ । ଏହି ପ୍ୟାକ୍ ରେ ମୁଖକୁଞ୍ଚନ ପଡିନଥାଏ । ଏହାସହ ଧନିଆକୁ ଚାଉଳ ଗୁଣ୍ଡ ସହ ମିଶାଇ ଲଗାଇଲେ ମଧ୍ୟ ଫାଇଦା ମିଳିଥାଏ । ଏହା ତ୍ୱଚା ପାଇଁ ଏକ୍ସଫୋଲିଏଟର୍ ଭଳି କାମ କରିଥାଏ । ୧କପ୍ ଧନିଆ ପତ୍ର ବାଟି ଏଥିରେ ୨ ଚାମଚ ଚାଉଳ ଗୁଣ୍ଡ ଏବଂ ଗୋଟିଏ ଲେମ୍ବୁ ମିଶାଇ ଚେହେରାରେ ଲଗାନ୍ତୁ ଦେଖିବେ ଆପଣଙ୍କ ଚେହେରା କାଚ ପରି ଚମକି ଉଠିବ ।