ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଟଙ୍କା, ଧନସମ୍ପତି ପଛରେ ଧାଇଁ ଧାଇଁ ସମସ୍ତେ ସମ୍ପର୍କ ଭୁଲିଗଲେଣି । ଟଙ୍କା ପାଇଁ ଭାଇ ଭାଇ ଭିତରେ ଝଗଡା ହେଉଛି । ଧନସମ୍ପତି ପାଇଁ ପୁଅ ମା’କୁ ଭୁଲି ଯାଉଛି ତ ଆଉ କେତେବେଳେ ବାପ ପୁଅ ମଧ୍ୟରେ ପାଚେରି ସୃଷ୍ଟି ହେଉଛି । ଧନସମ୍ପତି ଆଗରେ ବଳି ପଡିଯାଉଛି ସମ୍ପର୍କ । ପୂର୍ବରୁ ଗୋଟିଏ ଘରେ ବାପା, ମା’, ଭାଇ, ଭଉଣୀ ସଭିଏଁ ଏକାଠି ମିଶିକରି ରହିଥାନ୍ତି । ଗୋଟିଏ କସାଂରେ ସାଙ୍ଗ ହୋଇ ଖାଇଥାନ୍ତି । ଅଭାବ ଅସୁବିଧା ପଡ଼ିଲେ ସମସ୍ତେ ଏକାଠି ହୋଇଯାଆନ୍ତି । ହେଲେ ବର୍ତ୍ତମାନ ତାହା ପାଲଟିଛି ସାତ ସପନ । ସମ୍ପର୍କ କଣ ତାହା ଏବେ ବୁଝିବା ବଡ଼ କଷ୍ଟକର ପାଠ ହୋଇଗଲାଣି ।
ଦ୍ୱାପର ଯୁଗରେ ଦିନେ ଶ୍ରୀକୃଷ୍ଣଙ୍କୁ ସୁଦାମା ପଚାରିଥିଲେ ପ୍ରଭୃ ସମ୍ପର୍କ କାହାକୁ କୁହାଯାଏ ? ସୁଦାମାଙ୍କ କଥା ଶୁଣି ଶ୍ରୀକୃଷ୍ଣ ହସିଦେଇଥିଲେ । କହିଥିଲେ ଯେଉଁଠି ସ୍ୱାର୍ଥ ଥାଏ ସେଠି ସମ୍ପର୍କ ନଥାଏ । ଆଉ ଯେଉଁଠି ସମ୍ପର୍କ ଥାଏ ସେଠି ସ୍ୱାର୍ଥ ନଥାଏ । ଅର୍ଥାତ୍ ବିନା ସ୍ୱାର୍ଥରେ ବନ୍ଧା ଯାଇଥିବା ଡୋରିକୁ ସମ୍ପର୍କ କୁହାଯାଏ । ଯେଉଁଥି ରାଗ, ହିସାଂ, କାମ, କ୍ରୋଧ, ଲୋଭ,ମୋହ, ମାୟା କିଛ ନଥାଏ ତା ହିଁ ସମ୍ପର୍କ। ଧନୀ ହେବା ପରେ ଯେଉଁ ମଣିଷ ସମ୍ପର୍କ ଭୁଲିଯାଏ ସେମାନେ ଶାନ୍ତିରେ ରହିପାରନ୍ତି ନାହିଁ,ଲୋଭ ସେମାନଙ୍କୁ ବଶବର୍ତ୍ତୀ କରିଦିଏ । ସମସ୍ତେ ଜାଣନ୍ତି ଆଜିର ଜୀବନର ମୂଲ୍ୟ କାଲିର ମଶାଣୀରେ । ତେଣୁ ରାଗ ହିସାଂ ଭୁଲି ସଭିଏଁ ବୁଝନ୍ତୁ ସମ୍ପର୍କର ମୂଲ୍ୟ। କାରଣ ସମ୍ପର୍କ ହିଁ ସଂସାର।