ଓଡ଼ିଶା 365 (ବ୍ୟୁରୋ): କେନ୍ଦ୍ରାପଡା ପରେ ଯାଜପୁରରେ ବି ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା ପଞ୍ଚାୟତର ବେତନା ଗାଁ, ବାଲିସାହି, ବାଲିଚନ୍ଦ୍ରପୁର ଗ୍ରାମର ୫୦୦ ରୁ ଉର୍ଦ୍ଧ ଲୋକଙ୍କ ଆକାଉଣ୍ଟକୁ ଆସିଛି ହଜାର ହଜାର ଟଙ୍କା । କେବଳ ହଜାର ନୁହେଁ, କିଛି ଲୋକଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆସୁଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଦୁଇ ଦିନ ଧରି ଲୋକଙ୍କ ଆକାଉଣ୍ଟ ଆସୁଥିବା ପଇସା କେଉଁଠୁ ଆସୁଛି, କେଉଁ ବାବଦକୁ ଆସିଛି ତା ଜଣା ପଡୁନଥିବା ବେଳେ ଆକାଉଣ୍ଟକୁ ଆସିଥିବା ପଇସାକୁ ଉଠାଇବାରେ ଲୋକେ ବ୍ୟସ୍ତ ଅଛନ୍ତି। ଆକାଉଣ୍ଟକୁ ଆସିଥିବା ଟଙ୍କାକୁ ଉଠାଇବା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଧାଇଁ ଆସୁଛନ୍ତି ଲୋକେ । କେବଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନୁହେଁ ଅନ୍ୟ ବ୍ୟାଙ୍କରେ ମଧ୍ୟ ଟଙ୍କା ଉଠାଇବାକୁ ଲୋକମାନେ ଆସୁଥିବାର ଦେଖିବାକୁ ମିଳିଛି ।
ଏନେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ପ୍ରଭାତ ରଞ୍ଜନ ସାହୁଙ୍କୁ କହିଛନ୍ତି, ‘ଗତ କାଲିଠୁ ଲୋକମାନେ ବ୍ୟାଙ୍କକୁ ଆସି ତାଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଉଠାଇ ନେଉଛନ୍ତି । ତେବେ ସେମାନଙ୍କ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସିଛି ବୋଲି ତାହା ଜଣାପଡ଼ିନଥିବା ବେଳେ ୩୦,୪୦,୬୦ ଏପରିକି ଏକ ଲକ୍ଷ ଟଙ୍କା ମଧ୍ୟ ଆସିଛି l ଏନେଇ ବର୍ତ୍ତମାନ ତଦନ୍ତ ଚାଲିଛି ତଦନ୍ତ ପରେ କାରଣ ଜଣା ପଡ଼ିବ ବୋଲି କହିଛନ୍ତି ଆସିଷ୍ଟାଣ୍ଡ ମ୍ୟାନେଜର ପ୍ରଭାତ ରଞ୍ଜନ ସାହୁ। ତେବେ ଗତ ଦୁଇ ଦିନ ତଳେ କେନ୍ଦ୍ରାପଡାରେ ମଧ୍ୟ ଦେଖାଯାଇଥିଲା ସମାନ ଚିତ୍ର । ହଠାତ୍ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଡକୁ ଆସିଥିଲା ଲକ୍ଷ ଲକ୍ଷ ଟଙ୍କା ।