ଓଡ଼ିଶା 365 (ବ୍ୟୁରୋ): ମା’ ତାରିଣୀଙ୍କ ମାନସିକ ନଡ଼ିଆର ନିଲାମ କରାଯାଇଛି ବାତିଲ୍। ମନ୍ଦିର କର୍ତ୍ତୃପକ୍ଷ ଆଜି ଡାକିଥିବା ଖୋଲା ନିଲାମ ପ୍ରକ୍ରିୟାକୁ ଆଜି ବାତିଲ୍ କରିଛି । ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଘଟଗାଁ ମା’ ତାରିଣୀ ପୀଠକୁ ଶହ ଶହ ମାନସିକ ନଡ଼ିଆ ଆସୁଛି। ମା’ଙ୍କ ଠାରେ ପହଁଚିବା ପରେ ଏହାର ସୁବିନିଯୋଗ ହୋଇପାରୁ ନଥିବାରୁ ଏହା ଗୋଦାମରେ ଦୀର୍ଘ ଦିନ ଧରି ପଡିରହୁଛି । ଯାହାକି ପଚି ସଢି ନଷ୍ଟ ହେବାକୁ ବସିଛି। ବର୍ତ୍ତମାନ ମନ୍ଦିର ଗୋଦାମରେ ୧୧ ଲକ୍ଷ ୨୭ ହଜାର ନଡ଼ିଆ ମହଜୁଦ ଥିବା ଜଣାପଡ଼ିଛି। ନଡିଆ ଉଠାଇବା ପାଇଁ ଗତ ୧ ତାରିଖରେ ଦେବୋତ୍ତର କମିସନରଙ୍କ ଆଦେଶ ଅନୁଯାୟୀ ଖୋଲା ନିଲାମ ହେବ ବୋଲି ନୋଟିସ୍ କରାଯାଇଥିଲା। ଏଥିପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ୪ ଟଙ୍କା ୬୦ ପଇସାରୁ ନିଲାମ ଆରମ୍ଭ ହେବ ବୋଲି ନୋଟିସ୍ରେ ଉଲ୍ଲେଖ ଥିଲା। ଏହି କ୍ରମରୋ ଆଜି ନଡ଼ିଆର ନିଲାମ ପ୍ରକ୍ରିୟାରେ ଲୋକେ ସାମିଲ ହୋଇଥିଲେ। ହେଲେ ଏହାପରେ ମନ୍ଦିର କର୍ତ୍ତୃପକ୍ଷ ନିଲାମ ପ୍ରକ୍ରିୟାକୁ ବାତିଲ କରିଥିବା ସୂଚନା ଦେଇଛି।
ଦେବୋତ୍ତର କମିସନରଙ୍କ ନିର୍ଦେଶକ୍ରମେ ୧୫ ଦିନ ପାଇଁ ମାନସିକ ନଡ଼ିଆ ନିଲାମକୁ ବାତିଲ କରାଯାଇଛି। ସପଟେ ମନ୍ଦିର ଗୋଦାମରେ ଗଚ୍ଛିତ ଥିବା ଭୋଗ ନଡ଼ିଆ ବିକ୍ରି ହୋଇପାରୁ ନଥିବାରୁ ରାଜ୍ୟର ବିଭିନ୍ନ ବସ୍ଷ୍ଟାଣ୍ଡରେ ଗଚ୍ଛିତ ଥିବା ନଡ଼ିଆକୁ ଜାଣିଶୁଣି ଅଳ୍ପ ପରିମାଣରେ ଅଣାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଏହି ଘଟଣାକୁ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି କମିଶନରଙ୍କ ନିର୍ଦ୍ଦେଶ ପରେ ଖୋଲା ନିଲାମ ପ୍ରକ୍ରିୟାକୁ ବାତିଲ କରାଯାଇଛି। ୧୫ ଦିନ ପର୍ଯ୍ୟନ୍ତ ଖୋଲା ବଜାରରେ ୪ ଟଙ୍କା ୬୦ ପଇସାରେ ନଡ଼ିଆ ବିକ୍ରି ହେବ ।