ଓଡ଼ିଶା 365 (ବ୍ୟୁରୋ) : ଆଜିକାଲି ବଜାରରେ ପୋଦିନା ପତ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ବିଭିନ୍ନ ଚଟପଟି ଖାଦ୍ୟରେ ବ୍ୟବହାର କରାଯାଉଛି । ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ପୋଦିନା ଶରୀର ପାଇଁ ବଡ଼ ଉପକାରୀ। ଇଂରାଜୀରେ ମିଣ୍ଟ ନାଁରେ ପରିଚିତ ପୋଦିନାରେ ରହିଛି ଅନେକ ଔଷଧୀୟ ଗୁଣ। ଖରା ଦିନେ ଅଂଶୁଘାତରୁ ରକ୍ଷା କରିଥାଏ ପୋଦିନା । ପୋଦିନା ରସ ଦେହ ପାଇଁ ହିତ, ବାହାରକୁ ଯିବା ପୂର୍ବରୁ ବି ଆପଣ ପୋଦିନା ରସ ପିଇ ପାରିବେ। ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ । ପୋଦିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ । ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତା’ର ରସକୁ ସେହି ଜାଗାରେ ଲଗାଇ ଦିଅନ୍ତୁ। ଘା’ ଶୀଘ୍ର ଶୁଖି ଯିବ। ଘା’ ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ । ଅନେକ ପ୍ରକାର ଚର୍ମରୋଗକୁ ନାଶ କରିଥାଏ ପୋଦିନା ।
ଚର୍ମ ରୋଗ ହେଲେ ପୋଦିନା ପତ୍ରର ପ୍ରଲେପ ଲଗାଇବା ଦ୍ୱାରା ଆରାମ ମିଳିଥାଏ ।ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ଦୁଇ ଘଣ୍ଟା ବ୍ୟବଧାନରେ ରୋଗୀକୁ ପିଆନ୍ତୁ। ବାନ୍ତି ବନ୍ଦ ହୋଇଯିବ । ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଥିଲେ ପୋଦିନା ରସକୁ ପାଣିରେ ମିଶାଇ ପିଇଲେ ଉପଶମ ମିଳେ । ପେଟ ବ୍ୟଥା ହେଉଥିଲେ ପୋଦିନାକୁ ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ମିଶାଇ ପିଅନ୍ତୁ। ପେଟ ବ୍ୟଥା ଦୂର ହୋଇଯିବ । ପ୍ରସବ ବେଦନା ସମୟରେ ମହିଳାମାନେ ପୋଦିନା ରସ ପିଇଲେ ସୁରୁଖୁରୁରେ ପ୍ରସବ ହୋଇଥାଏ। ପୋଦିନା ଖାଇବା ଦ୍ୱାରା ହାକୁଟି ସମସ୍ୟା ଦୂର ହୁଏ ।
ସ୍ୱାସ୍ଥ୍ୟ ପାଇଁ ତରଭୁଜ , ପଇଡ଼ ପାଣି, ଲେମ୍ବୁ ପାଣି ଓ ମିଶ୍ରି ପାଣି ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । ତେବେ ନିକଟରେ ଏକ ପରୀକ୍ଷରୁ ଜଣା ପଡିଛି ନିୟମିତ ଭାବେ ପୋଦିନା ରସ ପିଇବା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ନଜର ପକାନ୍ତୁ ପୋଦିନା ପତ୍ରର ଔଷଧୀୟ ଗୁଣ ଉପରେ । ଭିଟାମିନ୍-ଏ ଥିବାରୁ ପୋଦିନା ରସ ଚକ୍ଷୁ ପାଇଁ ମଧ୍ୟ ଉପକାରୀ । ଦିନକୁ ୨ଥର ଏହି ପାନୀୟ ପିଇଲେ ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ଯଥେଷ୍ଟ କମ୍ ରହିଛି । ପୋଦିନା ରସରେ ପୋଟାସିୟମ୍ ସଠିକ୍ ପରିମାଣରେ ଥିବାରୁ ତାହା ହୃଦରୋଗରୁ ରକ୍ଷା କରିଥାଏ ।
ପୋଦିନା ରସ ରକ୍ତହୀନତାରୁ ରକ୍ଷା କରେ । ଦିନକୁ ୨ଥର ପୋଦିନା ରସ ପିଇଲେ ଓଜନ ମଧ୍ୟ ନିୟନ୍ତ୍ରଣାଧୀନ ରହିଥାଏ । ମେନଥୋଲ ନାମକ ତତ୍ତ୍ୱ ପୋଦିନା ରସରେ ଥିବାରୁ ଏହାକୁ ପିଇଲେ ମାଇଗ୍ରେନ୍ରୁ ରକ୍ଷା ମିଳିଥାଏ । ପୋଦିନା ରସରେ ଆଣ୍ଟିସେପଟିକ୍ ଗୁଣ ପ୍ରଚୁର ପରିମାଣରେ ଥିବା କାରଣରୁ ଏହା ତ୍ୱଚାକୁ ମଧ୍ୟ ସୁସ୍ଥ ରଖେ । ଦିନାରେ ଭିଟାମିନ୍ ସି ଥିବାରୁ ଏହାକୁ ପିଇବା ଦ୍ୱାରା ଶୀଘ୍ର ଥକା ଲାଗିନଥାଏ । ପ୍ରତିଦିନ ପୋଦିନା ରସ ପିଇଲେ ସ୍ମୃତି ଶକ୍ତି ବୃଦ୍ଧି ହୁଏ ।