ଓଡ଼ିଶା 365 (ବ୍ୟୁରୋ): ସତ ମାନିଲେ ସରକାର। ଡେରାସ ଅଞ୍ଚଳରେ କେନାଲ ପୋତା ଯାଇଥିବା ସ୍ୱୀକାର କଲେ ରାଜ୍ୟ ସରକାର । ପୁନରୁଦ୍ଧାର ପାଇଁ ଖୋର୍ଦ୍ଧା ଏହାପରେ ଭୁବନେଶ୍ୱର ତହସିଲଦାର ଏବଂ ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଇଞ୍ଜିନିୟର ନିର୍ଦ୍ଦେଶ ଦେଇଛନ୍ତି । ଡେରାସ ମେଣ୍ଡାଶାଳ ପଞ୍ଚାୟତରେ କେନାଲ ଜବରଦଖଲ ହୋଇଥିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ଦୁଇଦିନ ତଳେ ଡେରାସ ମେଣ୍ଡାଶାଳରେ ଜବରଦଖଲ ହୋଇଥିବା ସ୍ଥଳକୁ ଯାଇ କେନାଲ ଖୋଳିଥିଲେ ସାଂସଦ ଅପରାଜିତା ଷଢଙ୍ଗୀ । ସାଂସଦଙ୍କ ଅଭିଯୋଗ ମୁତାବକ, ଏହି ଅଞ୍ଚଳରେ ୧୫୦ ଏକର ଚାଷ ଜମି କିରୁଥିକା ପ୍ରଭାକରନ୍ ତାରବାଡ଼ ଘେରାଇ ରଖିଛନ୍ତି । ଏହି ଜମି ଦେଇ କେନାଲ୍ ଯାଇଛି । ଯାହା ଫଳରେ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଦୁଇ ବର୍ଷ ହେଲା ଚାଷ ଜମି ଜଳସେଚିତ ହୋଇ ପାରୁ ନାହିଁ । ଏହି ଅଞ୍ଚଳର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ପାଣି ଆସିପାରୁନଥିବାରୁ ଚାଷ ହୋଇ ପାରୁନାହିଁ ।
ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ସାଂସଦ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହାର କୌଣସି ଉତ୍ତର ଆସିନଥିଲା କିମ୍ବା ଜଳସେଚନ ବିଭାଗକୁ ଏହି ମର୍ମରେ କୌଣସି ନିର୍ଦ୍ଦେଶ ମଧ୍ୟ ଦିଆଯାଇନଥିଲା । ଫଳରେ ଘଟଣାସ୍ଥଳରେ ପହଞ୍ଚିବା ସହ କେନାଲ ଖୋଳି ଜଳସେଚନ ବ୍ୟବସ୍ଥା କରିଥିଲେ ଅପରାଜିତା । ଯେଉଁ ଜମିରେ ବାଡ଼ ଘେରାଯାଇଛି ସେଥିରୁ କିଛି କିଣା ଯାଇଥିବା ବେଳେ କେତେକ ସରକାରୀ ଜମି, ଜଙ୍ଗଲ ଜମି, ଧବଳେଶ୍ବର ଦେବଙ୍କ ଜମି ରହିଛି । ବଳପୂର୍ବକ ଭାବେ କେନାଲ ପୋତି ଦିଆଯାଇଛି। ସାଧାରଣ ଲୋକଙ୍କୁ ଭୟଭୀତ କରି ଜମି କିଣି ନିଆଯାଇଛି । ପ୍ରାୟ ୧୫୦ ଏକର ଜାଗା ତାରବାଡ଼ ଘେରାଯାଇଛି। ଚାଷୀଙ୍କ ଜମିକୁ ପାଣି ଯାଉଥିବା ନାଳ ଏହି ତାର ବାଡ଼ ଆବଦ୍ଧ କ୍ଷେତ୍ରରେ ରହିଛି। ଏ ନେଇ ସାଂସଦ ସହ ଚାଷୀମାନେ ମଧ୍ୟ ଅଭିଯୋଗ କରିଥିଲେ। ଏହା ପରେ ଡେରାସ ଅଞ୍ଚଳରେ କେନାଲ ପୋତା ଯାଇଥିବା ସ୍ୱୀକାର କରି ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯୋଇଛି।