ଓଡ଼ିଶା 365 (ବ୍ୟୁରୋ): ଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଜାରି ରହିଛି ଶ୍ରୀକୃଷ୍ଣ ଜନ୍ମନୀତି । ଏଣୁ ଆଜି ଭାଦ୍ରକୃଷ୍ଣ ଦଶମୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ। ଆଜି ଠାରୁ ଶ୍ରୀଜିଉଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ । ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ପୂଜାପଣ୍ଡା ସେବକ ମାନେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ବିମାନରେ ବସାଇ ସିଂହଦ୍ଵାର ନିକଟସ୍ଥ ବଡ଼ଛତା ମଠ ପାର୍ଶ୍ବରେ ଥିବା ଏକ କାଠ ସିଂହାସନକୁ ବିଜେ କରାଇବେ । ଲେଙ୍କା ସେବକ ଶବରୁଣୀ ବେଶ ହୋଇ ଗୁଆକୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ନୀତି ସମ୍ପାଦନ କରିବେ । ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀଠାରୁ କୋଳି ଆଣି ମହାପ୍ରଭୁଙ୍କୁ ସମର୍ପଣ ଓ ମଣୋହି କରିଵା ପରେ ପୂଜାପଣ୍ଡା ସେଠାରେ ଶୀତଳ ଭୋଗ ଓ ଭିତରଚ୍ଛ ମହାପାତ୍ର ବନ୍ଦାପନା ନୀତି କରିବେ । ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କୁ ବନଭୋଜି ବେଶରେ ସୁସଜ୍ଜିତ କରାଯିବ ।
ଶ୍ରୀଜିଉଙ୍କ ଏହି ବେଶରେ ଠାକରମାନେ ଶ୍ରୀଭୁଜରେ ରୂପା ପିଙ୍ଗଣରେ ସର ଧାରଣ ସହ ଅନ୍ୟ ହସ୍ତରେ ନଉଡି ଧରିବେ । ବନଭୋଜି ବେଶରେ ଠାକୁରମାନଙ୍କୁ ପ୍ରାୟ ୧୮ ପ୍ରକାର ସ୍ବର୍ଣ୍ଣ ଅଳଙ୍କାର ପିନ୍ଧିବେ। ହରିଡ଼ା ମାଳ, ବାହାଡା ମାଳ, ଶ୍ରୀଭୁଜ, ଶ୍ରୀପୟର, ଝୋବା ମାଳ, କିରିଟ, କୁଣ୍ଡଳ ଆଦି ବିବିଧ ସ୍ଵର୍ଣ୍ଣ ଅଳଙ୍କାରରେ ବିଭୂଷଣ ଭୂଷିତ ହେବେ ମହାବାହୁ।