ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ସକ୍ରୀୟ ଦକ୍ଷିଣପୂର୍ବ ମୌସୁମୀ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଜାରି ରହିଛି ବର୍ଷାର ପ୍ରଭାବ। ଆସନ୍ତା ଦୁଇଦିନ ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗିରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେପଟେ ମୌସୁମୀ ନିମ୍ନଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ଯଶେଲମେରରୁ ବାହାରି କୋଟା, ରାଇସେନ, ପେନ୍ଦ୍ରାରୋଡ଼, ଜାମସେଦପୁର ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି ତଥା ବାୟୁମଣ୍ଡଳରେ ୨.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ସକାଳ ବର୍ଷା ଲାଗିରହିଛି । ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୯ ତାରଖ, ଶନିବାର ଅପରାହ୍ନ ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ ରୁ ୧୧ସେମି) ସମ୍ଭାବନା ରହିଛି ବୋଲି ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ।
ରାଜ୍ୟରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସତର୍କ କରାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୯ ସେପ୍ଟେମ୍ବର, ଶନିବାର ଅପରାହ୍ନ ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ସେମି) ହେବାର ସମ୍ଭାବନା ରହିଛି।