ଓଡ଼ିଶା 365 (ବ୍ୟୁରୋ): ଭିଜିଲାନ୍ସ ଜାଲରେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehousing Corporation)ର ଅଧୀକ୍ଷକ ଦେବୀପ୍ରସାଦ ମହାନ୍ତି। ନିମାପଡ଼ା ସ୍ଥିତ ଗୋଦାମର ଅଧୀକ୍ଷକ ଦେବୀପ୍ରସାଦଙ୍କ ଠାରୁ ନଗଦ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ କରିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ତିନିଟି ଠିକଣାରେ ଚଢ଼ାଉ କରାଯାଇଛି। ଦେବୀ ପ୍ରସାଦ ମହାନ୍ତି ଆଜି ନିମାପଡ଼ାରେ ବସ୍କୁ ଅପେକ୍ଷା କରିଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ହଠାତ୍ ଚଢ଼ାଉ କରି ତାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ। ସେଥିରେ ନଗଦ ୨.୧୪ ଲକ୍ଷ ଟଙ୍କା ଥିଲା। ତାଙ୍କୁ ଯାଞ୍ଚ କରାଯିବାରୁ ଆଉ ୫୯ ହଜାର ୬୧୦ ଟଙ୍କା ବାହାରିଥିଲା। ଶ୍ରୀ ମହାନ୍ତି ଏହି ଅର୍ଥ କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ, ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଏହା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରାଯାଇଥିଲା।
ସୂଚନା ଅନୁସାରେ, ନିମାପଡ଼ା ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି ଟଙ୍କା ବ୍ୟାଗ୍ ଧରି ନିମାପଡା ବସ୍ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ସେଠାରେ ଆଗରୁ ଜଗି ବସିଥିବା ବେଳେ ଦେବୀପ୍ରସାଦଙ୍କୁ ଦେଖି ମାଡିବସିଥିଲା ଭିଜିଲାନ୍ସ । ଘଡଣାସ୍ଥଳରୁ ହିଁ ଦେବୀପ୍ରସାଦଙ୍କ ନିକଟରୁ ୨ଲକ୍ଷ ୧୪ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଟଙ୍କା କେଉଁଠୁ ଆସିଲା ସେନେଇ ଭିଜିଲାନ୍ସ ପଚାରିବାରୁ କୌଣସି ଉତ୍ତର ଦେଇପାରିନଥିଲେ ଦେବୀପ୍ରସାଦ । ତେଣୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଦେବୀପ୍ରସାଦଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଦେବୀପ୍ରସାଦ ମହାନ୍ତିଙ୍କ ଭୁବନେଶ୍ୱର ୱେରହାଉସ କଲୋନୀରେ ଥିବା ସରକାରୀ କ୍ୱାର୍ଟରରେ ଚଢ଼ାଉ କରାଯାଇଥିବାବେଳେ ସେଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ତାଙ୍କ ପାଖରୁ ୫୯ ହଜାର ଟଙ୍କା ଜବତ କରାଯାଇଛି। ଏହାକୁ ମିଶାଇ ତାଙ୍କ ପାଖରୁ ସମୁଦାୟ ୪ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି |