ଓଡ଼ିଶା 365 (ବ୍ୟୁରୋ): ବାପା କହୁଛନ୍ତି ମୁଁ ଖାଣ୍ଟି କଂଗ୍ରେସିଆ, କଂଗ୍ରେସର ରକ୍ତ ବହୁଛି ମୋ ଦେହରେ,ହେଲେ ପୁଅଙ୍କ ଧ୍ୟାନ କିନ୍ତୁ ଅଲଗା ଆଡେ। ଦେହ କଂଗ୍ରେସ ମନ ବିଜେଡିରେ ବୋଲି ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ରାଜନୀତିରେ ନିଜର ବିନ୍ଦାସ ଆନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ।୨୦୧୯ରେ ବିଧାନସଭା ନିର୍ବାଚନରେ ଜଟଣୀ ନିର୍ବାଚନୀ ମଣ୍ଡଳୀରୁ କଂଗ୍ରେସ ନେତା ସୁର ରାଉତରାୟ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ପରାସ୍ତ ମଧ୍ୟ କରିଥିଲେ। ଆଗାମୀ ନିର୍ବାଚନରେ ମୁଁ ନିର୍ବାଚନ ଲଢିବିନି,ଜଟଣୀରୁ ପୁଅ ମନ୍ମଥ ନିର୍ବାଚନ ଲଢିବ ବୋଲି କିଛି ଦିନ ପୂର୍ବରୁ ସ୍ପଷ୍ଟ କରିଥିଲେ ୬ ଥରର କଂଗ୍ରେସ ବିଧାୟକ ସୁର ରାଉତରାୟ। ମାତ୍ର ଦିନ କେଇଟା ପୂର୍ବରୁ ପୁଅ ମନ୍ମଥ ୨୪ରେ କଂଗ୍ରେସରୁ ଲଢ଼ିବେନି, ତେବେ ସେ କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ମନ୍ମଥଙ୍କ ଏପରି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ହୋଇଥିଲା ସରଗରମ ।
ଗୋଟିଏ ପକ୍ଷରେ ପୁଅ ମନ୍ମଥ କଂଗ୍ରେସରୁ ଲଢ଼ିବେ ବୋଲି ସୁର ରାଉତରାୟ କହୁଥିବା ବେଳେ ଅନ୍ୟ ପକ୍ଷରେ ମନ୍ମଥ କଂଗ୍ରେସରୁ ଲଢ଼ିବେନି ବୋଲି କହିବାକୁ ନେଇ ସାଧାରଣରେ ଜୋର ଧରିଥିଲା ଚର୍ଚ୍ଚା। କଂଗ୍ରେସର ସଦସ୍ୟ ଥାଇ ସୁଦ୍ଧା ଦଳରେ ନଥିବା ନେଇ ବୟାନ ରଖିଥିଲେ ମନ୍ମଥ । ଯାହାକୁ ନେଇ ମନ୍ମଥଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା କଂଗ୍ରେସର ଶୃଙ୍ଖଳା କମିଟି । ତେବେ ଏହାର ଉତ୍ତର ନରଖିବାରୁ ମନ୍ମଥଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେଇଥିଲା କମିଟି। ମନ୍ମଥଙ୍କ ବେପରୁଆ ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ମନ୍ମଥ କହିଥିଲେ ମୋ ସସପେଣ୍ଡ ବେଆଇନ,ମୋ ବ୍ୟାକ୍ଗ୍ରାଉଣ୍ଡ ନଜାଣି ମୋତେ ପିସିସି ସଦସ୍ୟ କରିଥିଲେ। ମୁଁ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ। ଏକଥା ଭେରିଫାଏ କରିବାର କଥା। ପ୍ରଥମ ତ ମୋତେ ସଦସ୍ୟ କରିବା ଭୁଲ୍ ଥିଲା। ଭୁଲ୍ରେ ସଦସ୍ୟ କଲେ, ଏବେ ସସ୍ପେଣ୍ଡ କରି ଭୁଲ୍ କଲେ। ଭଲ ହେଲା, ମୋତେ ଆଉ ରେକ୍ଟିଫାଏ କରିବା ଦରକାର ନାହିଁ। ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି ପ୍ରତିକ୍ରିୟାରେ କହିଛନ୍ତି ମନ୍ମଥ।
ସେପଟେ ଜୁନିୟର ରାଉତରାୟଙ୍କର ଏହି ବୟାନ ସୂଚାଉଛି ,ରାଜ୍ୟରେ ଶାସନ କରୁଥିବା ବିଜେଡି ଆଡକୁ ସେ ଢଳିପାରନ୍ତି ।ଗୋଟେ ପଟେ ପୁଅ ଏଭଳି ମନ୍ତବ୍ୟ ଦେଉଥିବାବେଳେ ବାପା ସୁର ରାଉତରାୟ କହିଛନ୍ତି ମୋର ଶାନ୍ତି ପରିବାର, ମୋ ପୁଅ ଜଟଣୀରୁ ଛିଡା ହେବା ଫାଇନାଲ । ୨୪ରେ ପୁଅ ମନ୍ମଥ ବାପାଙ୍କ କଥା ମାନି ହାତ ଧରୁଛନ୍ତି,ନା ଶଙ୍ଖଫୁଙ୍କି ପାର ହେଉଛନ୍ତି ନିର୍ବାଚନ ବୈରଣୀ। ତାହା ଉପରେ ଏବେ ସମସ୍ତଙ୍କ ନଜର ।