ଓଡ଼ିଆ 365 (ବ୍ୟୁରୋ): ଜଣେ ସଚିବଙ୍କ ପାଇଁ କାହିଁକି ନିଜ ଦଳର ବିଧାୟକଙ୍କ ଉପରେ ରକ୍ତଚାଉଳ ଚୋବାଉଛନ୍ତି ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ? ସୌମ୍ୟ ଏମିତି କ’ଣ କହିଦେଲେ ଯେ, ଯାହାକୁ ନେଇ ଷଣ୍ଢୁଆଶି ଆକ୍ରମଣ ଆରମ୍ଭ କରିଦେଇଛନ୍ତି ଅତନୁ ଆଉ ଅରୁଣ । ଜଣେ ସଚିବଙ୍କ ଗସ୍ତକୁ ନେଇ ବିଜେଡି କାହିଁକି ଏତେ ପ୍ରତିକ୍ରିୟାଶୀଳ? ଦୀର୍ଘ କିଛି ମାସ ହେବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି । ବିରୋଧୀଙ୍କ ସମେତ ନିଜ ଦଳର ବିଧାୟକ ବି ଏହାକୁ ନେଇ ତୁମ୍ବିତୋଫାନ କରୁଛନ୍ତି । ହେଲେ ଏହାକୁ କାହିଁକି କାନକୁ ନେଉ ନାହାନ୍ତି ରାଜ୍ୟ ସରକାର ।
ରାଜ୍ୟରେ ମାଳ ମାଳ ମନ୍ତ୍ରୀ ଅଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବି ଅଛନ୍ତି । ହେଲେ ଜଣେ ମାତ୍ର ସଚିବଙ୍କୁ କାହିଁକି ଏତେ ଅଗ୍ରାଧିକାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ? ଏ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଗୁଡ଼େଇ ତୁଡ଼େଇ ହେଉଛି। ହେଲେ ପାଓ୍ବାରଫୁଲ ସଚିବଙ୍କୁ ଟପି ସରକାରଙ୍କୁ ପ୍ରଶ୍ନ କରିବାକୁ ସାହସ ଜୁଟେଇ ପାରୁନାହାନ୍ତି କେହି। ଦଳରେ ଥାଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସାହସ ଜୁଟେଇ କହିଲେ ଯେ, ତାଙ୍କୁ କି ଅବସ୍ଥା ଭୋଗିବାକୁ ପଡ଼ିଲା ସମସ୍ତ ଜାଣନ୍ତି। ଆଉ ଏବେ ସାହସ ଜୁଟାଇ ସଚିବଙ୍କ କାର୍ଯ୍ୟକୁ ବିରୋଧ କରି ବାରମ୍ବାର ନିଜ ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରିଆସୁଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ଯେଉଁଥି ପାଇଁ ସଚିବଙ୍କ ଇସାରାରେ ରକ୍ତ ଚାଉଳ ଚୋବାଉଛି ବିଜେଡି। ସୌମ୍ୟଙ୍କ ଭାବମୂର୍ତ୍ତି ମଳିନ କରିବାକୁ ଅରୁଣ ଓ ଅତନୁଙ୍କୁ ଅସ୍ତ୍ର କରିଛି ଦଳର ସଚିବଙ୍କ ଗୋଷ୍ଠୀ। ପ୍ରଥମ ଅସ୍ତ୍ରରେ ଅରୁଣ ସୌମ୍ୟଙ୍କୁ ସୁବିଧାବାଦୀ ନେତା କହି ବର୍ଷିଲେ, ଆଉ ତାଙ୍କ କାର୍ଯ୍ୟକାଳର ବିକାଶର ମୂଲ୍ୟାୟନ ବି କଲେ। ଯାହାର ସରଳ ଉତ୍ତର ଦେଇ ଅରୁଣଙ୍କୁ ଧୋଇଦେଲେ ସୌମ୍ୟ ।
ଏହା ପରେ ସୌମ୍ୟଙ୍କୁ କାଉଣ୍ଟର ପାଇଁ ଦ୍ୱିତୀୟ ଅସ୍ତ୍ରରେ ଆସିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସଚିବଙ୍କୁ ଖୁସି କରିବାକୁ ଯାଇ ଅତନୁ ସୌମ୍ୟଙ୍କୁ ବ୍ଲାକମେଲର କହି ବର୍ଷିଲେ । ଏହାର ଯବାବ ରଖିଲେ ସୌମ୍ୟ। କହିଲେ, ମନ୍ତ୍ରୀପଦ ହରାଇବା ଭୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଚାପରେ ଏଭଳି କହୁଥାଇପାରନ୍ତି । ତାଙ୍କୁ କୁହାଯାଏ ପାଟକୁରା ଗାନ୍ଧୀଙ୍କ ପୁଅ । ହେଲେ ପାଟକୁରା ଗାନ୍ଧୀଙ୍କ ପୁଅ ଏତେ ମିଛ କଥା କହିଲେ, ତାହା ଗାନ୍ଧୀ ଶବ୍ଦ ପ୍ରତି ଅପମାନ ହେବ । ଏବେ ପ୍ରଶ୍ନ ଉଠୁଛି ଦଳ ଯଦି ଜାଣିଥିଲା ସୌମ୍ୟଜଣେ ସୁବିଧାବାଦୀ, ବ୍ଲାକମେଲର ଓ ଅସ୍ତିର ନେତା ତେବେ ୨୦୧୮ରେ ସୌମ୍ୟଙ୍କୁ କାହିଁକି କୋଳେଇନେଇଥିଲା ଦଳ। ସୌମ୍ୟଙ୍କ ଏତେ ସବୁ ଖୁଣ ଥିବା ସତ୍ତ୍ୱେ ବି ସୌମ୍ୟ ସେତେବେଳେ ଦଳ ପାଇଁ ଥିଲେ ବାସନା ତେଲ । କାରଣ ସୌମ୍ୟଙ୍କ ହାତରେ ଥିଲା ରାଜ୍ୟର ଦୁଇ ଦୁଇଟି ବଡ଼ ମିଡ଼ିଆ। ଆଉ ଏବେ ସଚିବଙ୍କ ବିରୋଧରେ ଯେତେବେଳେ ମୁହଁ ଖୋଳିଲେ ତାଙ୍କ ପଛରେ ଲାଗିଡ଼ିଛି ପୁରା ଶାସନ କଳ। ଜଣେ ପରେ ଜଣେ ମନ୍ତ୍ରୀ ଓ ବିଧାୟକ ପାଳିକରି ସୌମ୍ୟଙ୍କୁ ବିରୋଧ କରୁଛନ୍ତି। ତେବେ ସଚିବଙ୍କ ବିରୋଧରେ ଏ ବିଦ୍ରୋହ ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।