ଓଡ଼ିଶା 365 (ବ୍ୟୁରୋ) : ଭାରତ ପହଂଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ଶୁକ୍ରବାର ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନୂଆଦିଲ୍ଲୀରେ ପହଂଚିଛନ୍ତି । ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । ଋଷି ସୁନକଙ୍କୁ ବିମାନ ବନ୍ଦରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ ସ୍ବାଗତ କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି । ଜି-୨୦ ଶିଖର ସମ୍ମିଳନୀ ଆସନ୍ତା ୯ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ । ଏଥିରେ ଭାଗ ନେବା ପାଇଁ ବିଶ୍ୱର ବିଭିନ୍ନ ନେତା ଭାରତ ଗସ୍ତରେ ଆସିଛନ୍ତି । ସେହିପରି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ସମ୍ମିଳନୀରେ ଭାଗନେବା ପାଇଁ ଭାରତ ପହଂଚିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସନ୍ଧ୍ୟା ୬.୫୫ରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।