ଓଡ଼ିଶା365(ବ୍ୟୁରୋ): ଆଜି ହେଉଛି ‘ଆନ୍ତର୍ଜାତିକ ସାକ୍ଷରତା ଦିବସ’। ବ୍ୟକ୍ତିଗତ ସ୍ତରରେ ଜଣଙ୍କର ଜୀବନ ଓ ସାମୂହିକ ଭାବରେ ଦେଶର ଅର୍ଥନୀତିର ପ୍ରମୁଖ ଉପାଦାନ ହେଉଛି ସାକ୍ଷରତା। ଏହା ଜଣେ ବ୍ୟକ୍ତିର ଚିନ୍ତାଧାରା, ଭାବନା ଓ ଅନୁଭବକୁ ବ୍ୟକ୍ତ କରିବା ପାଇଁ ମୌଳିକ ଦକ୍ଷତା ଯୋଗାଇଥାଏ। ଏହା ପ୍ରତ୍ୟେକ ବ୍ୟକ୍ତିର ଶିକ୍ଷା ଅଧିକାର ହାସଲ ପାଇଁ ଅପରିହାର୍ଯ୍ୟ। ୧୯୬୫ରେ ତେହରାନଠାରେ ଅନୁଷ୍ଠିତ ୟୁନେସ୍କୋର ଚତୁର୍ଦ୍ଦଶ ଅଧିବେଶନରେ ଏହି ଦିବସ ପାଳନର ପରିକଳ୍ପନା କରାଯାଇଥିଲା ଏବଂ ୧୯୬୬ ଅକ୍ଟୋବର ମାସ ୨୬ତାରିଖରେ ଏ ସଂକ୍ରାନ୍ତିୟ ସଂକଳ୍ପ ପାରିତ ହୋଇଥିଲା। ତଦନୁସାରେ ୧୯୬୭ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖ ଅର୍ଥାତ ଆଜିର ଦିନରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଆସୁଛି। ନିରକ୍ଷରତାର ମୁକାବିଲା କରିବା ଏବଂ ବ୍ୟକ୍ତି ଓ ସମୁଦାୟକୁ ସଶକ୍ତ କରିବା ପାଇଁ ସାକ୍ଷରତାକୁ ଏକ ଉପକରଣ ଭାବେ ପ୍ରୋତ୍ସାହନ କରିବା ହେଉଛି ଏହାର ମୁଳ ଉଦ୍ଦେଶ୍ଯ। ଭାରତୀୟ ଜାତୀୟ ସର୍ବେକ୍ଷଣ ତଥ୍ୟ ମୁତାବକ, ୨୦୧୧ ମସିହାରେ ଦେଶର ସାକ୍ଷରତା ହାର ୭୩ ପ୍ରତିଶତ ଥିଲା। ମାତ୍ର ୨୦୨୨ ମସିହାରେ ଏହା ୭୭.୭ ପ୍ରତିଶତ ହୋଇଛି। ସେହିପରି ଓଡ଼ିଶାରେ ବର୍ତ୍ତମାନ ସାକ୍ଷରତା ହାର ରହିଛି ୭୨.୮୭ ପ୍ରତିଶତ । ତେବେ ପୁରୁଷ ସାକ୍ଷରତା ହାର ୮୧.୫୯ ପ୍ରତିଶତ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ସାକ୍ଷରତା ହାର ରହିଛି ୬୪.୦୧ ପ୍ରତିଶତ । ୨୦୨୧ରେ ଏହି ସାକ୍ଷରତା ହାର ଥିଲା ୭୦.୨୨ ପ୍ରତିଶତ । ପୁରୁଷ ସାକ୍ଷରତା ହାର ୭୯.୬୫ ଥିବା ବେଳେ ମହିଳାଙ୍କ ସାକ୍ଷରତା ହାର ଥିଲା ୫୯.୬୫ । ତେଣୁ ଦିନକୁ ଦିନ ଏହି ସାକ୍ଷରତା ହାରରେ ବୃଦ୍ଧି ପାଉଛି । ଫଳରେ ଏହି ଦିବସ ପାଳନ ଦ୍ୱାରା ଲୋକମାନେ ବହୁମାତ୍ରାରେ ସଚେତନ ହେଉଛନ୍ତି ।