ଓଡ଼ିଶା 365 (ବ୍ୟୁରୋ): ଗତକାଲି ଦେଶବ୍ୟାପୀ ପାଳିତ ହୋଇଛି ନନ୍ଦ ଉତ୍ସବ। ଏହି ଅବସରରେ ଶ୍ରୀମନ୍ଦିରରେ ବି ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି। ମାତ୍ର, ଏଥିଲେ ବ୍ୟତିକ୍ରମ ହୋଇଛି। ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଶ୍ରୀମନ୍ଦିରରେ ହୋଇପାରିଲା ନାହିଁ ମହାପ୍ରଭୁଙ୍କ ପହୁଡ଼ ନୀତି। ଫଳରେ ରାତିସାରା ଅନିଦ୍ରା ରହି ଶୋଇପାରିନାହାନ୍ତି ଶ୍ରୀଜିଉ। ନନ୍ଦୋତ୍ସବ ନୀତି ସହ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବା ହେତୁ ଶ୍ରୀଜିଉ ମାନଙ୍କ ପହୁଡ ନୀତି ହୋଇନଥିବା କହିଛନ୍ତି ସେବାୟତ ।
ସୂଚନାଯୋଗ୍ୟ, ଗତକାଲି ନନ୍ଦୋତ୍ସବ ଯୋଗୁଁ ଅନେକ ନୀତିକାନ୍ତି ରହିଥିଲା। ବଡଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ଗୁରୁବାର ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ପାଳିତ ହୋଇଥିଲା । ଅନ୍ୟାନ୍ୟ ସମସ୍ତ ନୀତିକୁ ମିଶାଇ ଶ୍ରୀମନ୍ଦିରରେ ଗତକାଲି ନନ୍ଦୋତ୍ସବ ନୀତିକାନ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ତେଣୁ ଗତକାଲିର ସନ୍ଧ୍ୟା ଆଳତୀ ଆଜି ଭୋର ୪ଟା ୧୫ରେ ସମ୍ପର୍ଣ୍ଣ ହୋଇଥିଲା । ସେପଟେ ମହାପ୍ରଭୁଙ୍କର ପହୁଡ ହୋଇନଥିବାରୁ ଦ୍ୱାର ଫିଟା ନୀତି ମଧ୍ୟ ବିଳମ୍ବିତ ହୋଇଥିଲା । ସକାଳ ୬ଟା ୩୦ ମିନିଟରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମଙ୍ଗଳଆଳତୀ ହେବା ପରେ ଦୈନନ୍ଦିନର ଅନ୍ୟାନ୍ୟ ନୀତି କରାଯାଇଥିଲା । ମଙ୍ଗଳ ଆଳତୀ ସରିବା ପରେ ମହାଜନ ସେବାୟତ ପ୍ରଭୁ ରାମ, କୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ବିଜେ କରାଇଥିଲେ । ଦକ୍ଷିଣ ଘରୁ ମଦନମୋହନ ଆସି ଦୋଳି ଖୋଳିଥିଲେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହୋଇଥିଲା। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାଇଥିଲେ । ତେଣୁ ରାମ, କୃଷ୍ଣ ଓ ମଦନମୋହନ ଦୋଳିରୁ ଓହ୍ଲାଇ ଖଟ ଉପରେ ବିଜେ କରାଯାଇଥିଲା । ଭରତିଆ ଗୌଡ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେଇଥିଲେ ।