ଓଡ଼ିଶା365(ବ୍ୟୁରୋ): ସମସ୍ତଙ୍କ ପ୍ରଥମ ପସନ୍ଦ ଏବେ ରାଜଧାନୀ ଭୁବନେଶ୍ୱର। ପାଠପଢ଼ା ହେଉ ଅବା କର୍ମ ଅନ୍ୱେଷଣ ସମସ୍ତେ ବାଛୁଛନ୍ତି ଚାକଚକ୍ୟର ସହର ଭୁବନେଶ୍ୱରକୁ । ମାତ୍ର ଏହି ସହରରେ ଏବେ ବଢ଼ିଚାଲିଛି ଆତ୍ମହତ୍ୟା । କମିସନରେଟ୍ ପୁଲିସର ତଥ୍ୟ କହୁଛି ଭୁବନେଶ୍ବରରେ ପ୍ରତିଦିନ ହାରାହାରି ଜଣେ ଲୋକ ଆତ୍ମହତ୍ୟା କରୁଛନ୍ତି। କିଏ ପାଠପଢ଼ା ଚାପରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରୁଛି ତ ଆଉ କିଏ ପ୍ରେମରେ ବିଫଳ ହୋଇ ବିଷ ପିଉଛି। ଆର୍ଥିକ ସମସ୍ୟା, ସନ୍ଦେହ ଓ ପାରିବାରିକ କଳହଜନିତ କାରଣରୁ ଆତ୍ମହତ୍ୟା ସଂଖ୍ୟା ବି ବଢୁଛି। ଲୋକମାନେ ମାତ୍ର କେଇ ମୂହୁର୍ତ୍ତର ଉତ୍ତେଜନାରେ ମାନସିକ ଭାରସାମ୍ୟ ହରାଇ ମୂଲ୍ୟବାନ ଜୀବନ ହାରିବା ଭଳି ନିଷ୍ପତ୍ତି ନେଉଛନ୍ତି।
କମିସନରେଟ ପୁଲିସର ତଥ୍ୟ ମୁତାବକ, ଭୁବନେଶ୍ବରରେ ଗତ ଦେଢ଼ବର୍ଷରେ ୫୫୦ଜଣ ଆତ୍ମହତ୍ୟା କରିଛନ୍ତି। ୨୦୨୨ରେ ୩୩୪ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୩ରେ ମାତ୍ର ୭ମାସ ମଧ୍ୟରେ ୨୧୬ଜଣ ଆତ୍ମହତ୍ୟା କରିଛନ୍ତି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଯୁବକ ଯୁବତୀ। ଦେଢ଼ବର୍ଷରେ ଯେତିକି ଲୋକ ଆତ୍ମହତ୍ୟା କରିଛନ୍ତି ତାର ୭୦ ପ୍ରତିଶତ ଯୁବପିଢ଼ି ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ଏହି ହିସାବରେ ଦେଖିଲେ ପ୍ରତିମାସ ପାଖାପାଖି ୩୦ଜଣଙ୍କ ଜୀବନ ଯାଉଛି। ଅର୍ଥାତ୍ ପ୍ରତିଦିନ ଭୁବନେଶ୍ୱରରେ ଜଣେ ଲୋକ ଆତ୍ମହତ୍ୟା କରୁଛନ୍ତି । ଉଦବେଗଜନିତ ବିଷୟ ହେଉଛି, କମିସନରେଟ ପୁଲିସର ୩ଟି ଥାନା ଅଞ୍ଚଳରେ ଆତ୍ମହତ୍ୟା ସଂଖ୍ୟା ଅଧିକ।
ଦେଢ଼ବର୍ଷ ମଧ୍ୟରେ ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ୧୨୯ ଜଣ ଆତ୍ମହତ୍ୟା କରିଥିବା ବେଳେ ଭରତପୁର ଥାନା ଅଞ୍ଚଳରେ ୮୯, ମଞ୍ଚେଶ୍ବର ଥାନା ଅଞ୍ଚଳରେ ୬୭, ଇନ୍ଫୋସିଟି ଥାନା ଅଞ୍ଚଳରେ ୩୨, ନୂଆପଲ୍ଲୀ ଥାନା ଅଞ୍ଚଳରେ ୨୯ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୨୪ ଜଣ ଆତ୍ମହତ୍ୟା କରିଛନ୍ତି। ସେହିପରି ଏୟାରପୋର୍ଟ ଓ ପାହାଳ ଥାନା ଅଞ୍ଚଳରେ ୩ ଜଣ ଲେଖାଏଁ ଆତ୍ମହତ୍ୟା କରିଛନ୍ତି। ତେବେ ଏଥିରେ ରୋକ ଲଗାଇବାକୁ କମିସନରେଟ୍ ପୁଲିସ ‘ଷ୍ଟ୍ରାଇଡ୍’ ନାମକ ଏକ ଅଭିଯାନ ଆରମ୍ଭ କରିଛି। ଏଥିରେ ଦୁଇଜଣ ବିଶେଷଜ୍ଞଙ୍କୁ ସାମିଲ୍ କରାଯାଇଛି। କମିସନରେଟ୍ ପୁଲିସରେ ଘଟୁଥିବା ପ୍ରତ୍ୟେକ ଆତ୍ମହତ୍ୟା ମାମଲା ବିଶେଷଜ୍ଞ ଟିମ୍ ଦ୍ବାରା ଯାଞ୍ଚ କରାଯିବ।
ଏହାର କାରଣ ଓ ଅନ୍ୟ ଦିଗଗୁଡ଼ିକୁ ବିଶେଷଜ୍ଞମାନେ ବିଶ୍ଳେଷଣ କରିବେ। ଏଥିରୁ ଯାହା ତଥ୍ୟ ମିଳିବ ତାହାକୁ ତଦନ୍ତକାରୀ ଅଧିକାରୀମାନଙ୍କ ସହିତ ମିଶି ଆଲୋଚନା କରାଯିବ । ଲୋକଙ୍କୁ ସଚେତନ କରାଯିବାକୁ ପୁଲିସ କର୍ମଚାରୀଙ୍କୁ ତାଲିମ୍ ଦିଆଯିବ। ଏହି ଅଭିଯାନ ମାଧ୍ୟମରେ ସ୍କୁଲ, କଲେଜ୍ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ସଚେତନ କରାଯିବ। ଜେଲ୍ରେ କିଛି ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିବାରୁ ସେଠାରେ ମଧ୍ୟ ସଚେତନ କରାଯିବ। ବିଶେଷଜ୍ଞଙ୍କ କହିବା କଥା ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ପରୀକ୍ଷାରେ ବିଫଳତା, ଉଚ୍ଚଅଭିଳାଷ, ନିଶା ସେବନ, ପ୍ରେମରେ ବିଫଳତା ଏବଂ ନିଃସଙ୍ଗତା। ତେଣୁ ଯୁବପିଢ଼ିଙ୍କୁ ଏ ଦିଗରେ ଅଧିକ ସଚେତନ କରିବାର ଆବଶ୍ୟକତା ।