ଓଡ଼ିଶା 365 (ବ୍ୟୁରୋ) :ଆସନ୍ତା ୯ ଏବଂ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ବୈଠକ ଆୟୋଜିତ ହେବ । ଏଥିପାଇଁ ସମସ୍ତର ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବିଦେଶୀ ଅତିଥିମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ କେତେକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜି-୨୦ ସମ୍ମିଳନୀ ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ହୋଇଛି । ଦିଲ୍ଲୀ ସରକାରଙ୍କ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ କୁହାଯାଇଛି, ଭାରୀ, ମଧ୍ୟମ ଏବଂ ହାଲୁକା ମାଲ ପରିବହନକାରୀ ଯାନଗୁଡିକୁ ଆଜି ରାତି ୯ଟାରୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସମାନ ପ୍ରତିବନ୍ଧକ ଶନିବାର ସକାଳ ୫ଟାରୁ ଟ୍ୟାକ୍ସି ଏବଂ ଅଟୋ ଉପରେ ମଧ୍ୟ ଲାଗୁ ହେବ। ସେହିପରି ଆସନ୍ତାକାଲି ସକାଳୁ ରବିବାର ପର୍ଯ୍ୟନ୍ତ ନୂଆଦିଲ୍ଲୀ ଜିଲ୍ଲାର ସମସ୍ତ ଅଞ୍ଚଳ ଏକ ନିୟନ୍ତ୍ରିତ ଜୋନ୍ ଭାବରେ ପରିଗଣିତ ହେବ। କେବଳ ପ୍ରକୃତ ବାସିନ୍ଦା, ପ୍ରାଧିକୃତ ଯାନ ଏବଂ ଗୁରୁତ୍ୱପୂର୍ଣ୍ଣ ସେବାରେ ଜଡିତ ଯାନଗୁଡିକୁ ଇଣ୍ଡିଆ ଗେଟ୍ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନକୁ ଯିବାକୁ ଅନୁମତି ଦିଆଯିବ।