ଓଡ଼ିଶା 365 (ବ୍ୟୁରୋ) : ଦେଶର ଔପଚାରିକ ନାଁ ‘ଇଣ୍ଡିଆ’ରୁ ‘ଭାରତ’ କରାଯିବାକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏଣ୍ଟ୍ରି କରିଛନ୍ତି ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ସେ ଏହାକୁ ସ୍ୱାଗତ କରିବା ସହ ବିପୁଳ ମାତ୍ରାରେ ସମର୍ଥନ କରୁଛନ୍ତି । ଏହାସହ ସେ ସୋସିଆଲ ମିଡିଆରେ ପୋଷ୍ଟ୍ କରି ସେ ଲେଖିଛନ୍ତି ଯେ, ୨୦୨୧ ମସିହାରେ ସେ କହିଥିଲେ ଯେ ଖୁବ୍ଶୀଘ୍ର ଦେଶର ନାଁ ବଦଳି ଇଣ୍ଡିଆରୁ ଭାରତ ହେବା ଉଚିତ୍ । ସେ ଟ୍ୱିଟରରେ ନିଜ ପୁରୁଣା ସାକ୍ଷାତକାରର ଏକ ସ୍କ୍ରିନ୍ଶଟ୍ ମଧ୍ୟ ଶେୟାର କରିଛନ୍ତି । ସେଥିରେ ଦୁଇ ବର୍ଷ ତଳେ ଦେଶର ନାଁ ବଦଳାଇବାର ଇଚ୍ଛା ପ୍ରକଟ କରିଥିଲେ କଙ୍ଗନା । ସେ କହିଥିଲେ ଯେ, ‘ଆମକୁ ଇଂରେଜଙ୍କ ଠାରୁ ‘ଇଣ୍ଡିଆ’ ନାଁ ମିଳିଛି । ତେଣୁ ଦେଶର ନାଁ ‘ଇଣ୍ଡିଆ’ ବଦଳରେ ‘ଭାରତ’ ହେବା ଉଚିତ୍ । ଏହାସହ ପୁରୁଣା ଟ୍ୱିଟ୍ ଶେୟାର କରି କଙ୍ଗନା ଲେଖିଛନ୍ତି ‘ସମସ୍ତଙ୍କୁ ଅଭିନନ୍ଦନ, ଆମେ ସମସ୍ତେ ଦାସତ୍ୱର ନାଁରୁ ଖୁବଶୀଘ୍ର ମୁକ୍ତ ପାଇଯିବା ଜୟ ଭାରତ ।’
ଅନ୍ୟପଟେ ଟ୍ୱିଟ୍ରେ କଙ୍ଗନା ଲେଖିଛନ୍ତି ଯେ, ‘ଇଣ୍ଡିଆ’ ନାଁରେ ଭଲପାଇବା ଭଳି କ’ଣ ଅଛି? ସର୍ବପ୍ରଥମେ ବିଦେଶୀ ଆକ୍ରମଣକାରୀମାନେ ସିନ୍ଧୁ ନାଁ ଉଚ୍ଚାରଣ କରିପାରିଲେ ନାହିଁ । ତେଣୁ ନାଁକୁ ବିଗାଡ଼ି ‘ଇଣ୍ଡସ୍’ବା ‘ହିନ୍ଦୋସ୍’ କରିଦେଲେ । ମହାଭାରତ କାଳରୁ କୁରୁକ୍ଷେତ୍ରର ମହାଯୁଦ୍ଧରେ ଭାଗ ନେଇଥିବା ସମସ୍ତ ରାଜ୍ୟ ‘ଭାରତ ମହାଦ୍ୱୀପ’ ନାମରେ ପରିଚିତ ଥିଲେ । ସେମାନେ ଆମକୁ ସିନ୍ଧୁ କାହିଁକି କହୁଥିଲେ? ଭାରତ ନାଁ ଉପଯୁକ୍ତ ।
‘ଇଣ୍ଡିଆ’ର ଅର୍ଥ କ’ଣ? ସେମାନେ ଆମକୁ ରେଡ୍ ଇଣ୍ଡିଆନ୍ କହୁଥିଲେ, କାରଣ ପ୍ରାଚୀନ ଇଂରାଜୀରେ ଇଣ୍ଡିଆନ୍ର ଅର୍ଥ ଗୁଲାମ ବା ଦାସ ଥିଲା । ସେମାନେ ଆମକୁ ଇଣ୍ଡିଆନ୍ ପରିଚୟ ଦେଇଥିଲେ। ପୁରୁଣା କାଳର ଅଭିଧାନରେ ମଧ୍ୟ ଇଣ୍ଡିଆନ୍ର ଅର୍ଥ ଗୁଲାମ ବୋଲି ଲେଖା ହୋଇଥିଲା। ହେଲେ ଏବେ ଏହା ବଦଳିଯାଇଛି । ଆମେ ଭାରତୀୟ, ଇଣ୍ଡିଆନ୍ ନୁହଁ ।ଭାରତ ନାମକରଣକୁ କଙ୍ଗନା ରାଣାୱତଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ବୀରେନ୍ଦ୍ର ସେହେୱାଗ ମଧ୍ୟ କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ବିପୁଳ ମାତ୍ରାରେ ସମର୍ଥନ କରୁଛନ୍ତି ।