ଓଡ଼ିଶା 365 (ବ୍ୟୁରୋ) : ଇଣ୍ଡୋନେସିଆରେ ପହଂଚି ଏସିଆନ୍ ସମ୍ମିଳନୀରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି, ଆମେ ସମଗ୍ର ବିଶ୍ୱରେ ଗ୍ଲୋବାଲ ସାଉଥର ସ୍ବର ଉତ୍ତୋଳନ କରିବାକୁ ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏସିଆନ୍ ହେଉଛି ଭାରତର କେନ୍ଦ୍ରୀୟ ସ୍ତମ୍ଭ। ଭାରତର ଇଣ୍ଡୋ-ପାସିଫିକ ପଦକ୍ଷେପରେ ଏସିଆନ୍ ଅଞ୍ଚଳର ମଧ୍ୟ ଏକ ପ୍ରମୁଖ ସ୍ଥାନ ରହିଛି । ବିଶ୍ୱର ଅନିଶ୍ଚିତତା ପରିବେଶରେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଆମର ପାରସ୍ପରିକ ସହଯୋଗରେ ନିରନ୍ତର ଅଗ୍ରଗତି ହେଉଛି। ଏହି ସମ୍ମିଳନୀକୁ ଚମତ୍କାର ଭାବରେ ଆୟୋଜନ କରିଥିବାରୁ ମୁଁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ମୋଦି। ସେହିପରି ଏସିଆନ୍ ସମ୍ମିଳନୀର ଅଧ୍ୟକ୍ଷତା ପାଇଁ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଆହୁରି କହିଛନ୍ତି, ବିଶ୍ୱ ବିକାଶରେ ଏସିଆନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‘ବସୁଧୈବ କୁଟୁମ୍ବକମ୍’ -ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଏହି ଭାବନା ଭାରତର ଜି -୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ଅଟେ। ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ। ମୁଁ ନିଶ୍ଚିତ ଯେ ଆଜି ଆମର ଆଲୋଚନା ମାଧ୍ୟମରେ ଭାରତ ଏବଂ ଏସିଆନ୍ ଅଞ୍ଚଳର ଭବିଷ୍ୟତକୁ ଆହୁରି ମଜଭୁତ କରିବା ପାଇଁ ନୂତନ ନିଷ୍ପତ୍ତି ନିଆଯିବ ।