ଓଡ଼ିଶା 365 (ବ୍ୟୁରୋ) : ଚର୍ଚ୍ଚାରେ ଖିଲାଡ଼ି କୁମାର । ଦେଶର ନାଁ ‘ଇଣ୍ଡିଆ’ ବଦଳରେ କେବଳ ‘ଭାରତ’ କୁ ନେଇ ଜାରି ରହିଛି ବିବାଦ । ଏହାରି ଭିତରେ ଖିଲାଡ଼ି କୁମାର ବି ତାଙ୍କ ଅପ୍କମିଂ ଫିଲ୍ମର ନାଁ ପରିବର୍ତ୍ତନ କରି ‘ମିଶନ ରାଣୀଗଞ୍ଜର ଦ ଗ୍ରେଟ୍ ଭାରତ ରେସ୍କ୍ୟୁ’ କରି ଦେଇଛନ୍ତି। ଏହା ପୂର୍ବରୁ ଫିଲ୍ମର ନାଁ ଥିଲା ମିଶନ ରାଣୀଗଞ୍ଜ ଦ ଗ୍ରେଟ ଇଣ୍ଡିଆନ ରେସ୍କ୍ୟୁ। ଏହାସହ ଆସନ୍ତାକାଲି ଫିଲ୍ମର ଟିଜର ରିଲିଜ୍ ହେବ ବୋଲି ଅକ୍ଷୟ କୁମାର ଇନ୍ଷ୍ଟା ଗ୍ରାମରେ ପୋଷ୍ଟ କରି ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି । ଭାରତ ନାମକରଣକୁ ଅକ୍ଷୟ କୁମାରଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ବୀରେନ୍ଦ୍ର ସେହେୱାଗ ଓ କଙ୍ଗନା ରାଣାୱତ ମଧ୍ୟ କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ବିପୁଳ ମାତ୍ରାରେ ସମର୍ଥନ କରୁଛନ୍ତି ।
ସୂଚନା ଅନୁଯାୟୀ, ବର୍ତ୍ତମାନ ଅକ୍ଷୟ କୁମାରଙ୍କର ଓ ମାଇଁ ଗଡ-୨ ଫିଲ୍ମ ବଡ଼ ପରଦାରେ ଚାଲିଥିବା ବେଳେ ଅକ୍ଟୋବର ୬ ତାରିଖରେ ଖିଲାଡି କୁମାରଙ୍କ ନୂଆ ସିନେମା ‘ମିଶନ ରାଣୀଗଞ୍ଜ ଦ ଗ୍ରେଟ ଭାରତ ରେସ୍କ୍ୟୁ’ ମୁକ୍ତିଲାଭ କରିବ। ଏହି ଫିଲ୍ମର କାହାଣୀ ନଭେମ୍ବର ୧୯୮୯ ମସିହାରେ ହୋଇଥିବା ରାଣିଗଞ୍ଜ କୋଇଲା ଖଣୀ ଉଦ୍ଧାର କାର୍ଯ୍ୟ ଉପରେ ଆଧାରିତ ହୋଇଛି । ଦିବଗନ୍ତ ଶ୍ରୀ ଜଶୱନ୍ତ ସିଂହ ଗିଲ୍ଙ୍କ ସାହସିକତା ଘଟଣାକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି। ସେତେବେଳେ ଜଶୱନ୍ତ ଗିଲ୍ ଏହି ଉଦ୍ଧାର କାର୍ଯ୍ୟର ଦାୟିତ୍ୱ ନେଇଥିଲେ । ରାଣୀଗଞ୍ଜ କୋଇଲା ଖଣୀର ବନ୍ୟପ୍ଲାବିତ ଶ୍ରମିକଙ୍କ ଉଦ୍ଧାର କରିବାରେ ଜଶୱନ୍ତ ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।
ତେବେ ଏହି ଫିଲ୍ମରେ ଅକ୍ଷୟ କୁମାର, ପରିଣିତି ଚୋପ୍ରା, କୁମୁଦ ମିଶ୍ର, ପାବନ ମଲହୋତ୍ରା, ରବି କିଶନ, ବରୁଣ ବାଦୋଲା, ଦିବ୍ୟେନ୍ଦୁ ଭଟ୍ଟାଚାର୍ୟ୍ୟ, ରାଜେଶ ଶର୍ମା, ବିରେନ୍ଦ୍ର ସକ୍ସେନା, ଶିଶିର ଶର୍ମା, ଅନନ୍ତ ମହାଦେବନ, ଜମୀଲ ଖାନ, ସୁଧୀର ପାଣ୍ଡେ, ବଚ୍ଚନ ପାଚେରା, ମୁକେଶ ଭଟ୍ଟ, ଓମକାର ଦାସ ମାଣିକପୁରୀଙ୍କୁ ଦେଖିବାକୁ ମିଳିବ ।