ଓଡ଼ିଶା ୩୬୫ (ବ୍ୟୁରୋ): ନୀଳ ଜଳରାଶି ସାଙ୍ଗକୁ ପାହାଡ,ପର୍ବତ,ପ୍ରକୃତିର ମନୋଲୋଭା ଦୃଶ୍ୟ। ଆଉ ତା ସାଙ୍ଗକୁ ରଙ୍ଗବେରଙ୍ଗ ଦେଶୀ ଓ ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି ରାବ ସଭିଙ୍କୁ କରିଦିଏ ଆନମନା । କେଇଟା ମୁହୁର୍ତ୍ତ ପାଇଁ ଘଡିଏ ଅଟିକିଯାନ୍ତି ପର୍ୟ୍ୟଟକ। କବି,ଲେଖକ ମଧ୍ୟ ହୋଇପଡନ୍ତି ଭାବୁକ। ସୃଷ୍ଟି କରନ୍ତି ଅସରନ୍ତି କୃତି। ମନେ ପଡେ ଚିଲିକାକୁ ନେଇ କବିବର ରାଧାନାଥ ରାୟଙ୍କ ଚିଲିକା କାବ୍ୟ। ପ୍ରକୃତି ରାଣୀର ଶୋଭାର ଭଣ୍ଡାର, ଉତ୍କଳର ଚାରୁ ଅଳଙ୍କାର ଇତିହାସର ମୂକସାକ୍ଷୀ। । ନୀଳ ଜଳରାଶିରେ ନୌକା ବିହାରର ମଜା ନିଅନ୍ତି ପର୍ୟ୍ୟଟକ ନୌବାଣିଜ୍ୟ କେନ୍ଦ୍ରଭାବେ ମଧ୍ୟ ପରିଚିତ । ଡଲଫିନ୍ ଭଳି ଜଳଜୀବର ଏହା ପେଣ୍ଠସ୍ଥଳ ପାଲଟିବା ସହ ତାର ଶୋଭାକୁ ଦୁଇ ଗୁଣିତ କରିଥାଏ। ଆଉ ତା ସାଥିରେ ବାହାରୁ ଆସୁଥିବା ପର୍ୟ୍ୟଟକ ଚିଲିକା ଲୁଣି ହ୍ରଦରେ ପ୍ରସିଦ୍ଧ ଚିଙ୍ଗୁଡି ଓ କଙ୍କଡା ଖାଇବାର ମଜାନିଅନ୍ତି। ଓଡିଶା ପର୍ୟ୍ୟଟନ ମାନଚିତ୍ରରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂଣ୍ଣ ନୀଳାମ୍ବୁ ଚିଲିକାର ସ୍ଥାନ ସ୍ବତନ୍ତ୍ର। ପାହାଡ଼ ପର୍ବତ ଘେରା କୁଞ୍ଚିତ ଉପକୂଳ ସହ ସୁଦୀର୍ଘ ପ୍ରସାର ଜଳରାଶି ବିଶିଷ୍ଟ ଚିଲିକା ସୌନ୍ଦର୍ଯ୍ୟର ଏକ ଗନ୍ତାଘର। ପୃଥିବୀର ବୃହତମ ହ୍ରଦ ମଧ୍ୟରୁ ଅନ୍ୟତମ । ଓଡିଶାରେ ପର୍ୟ୍ୟଟନର ସ୍ଥିତି ସୁଦୃଢ ଓ ସମୃଦ୍ଧଶାଳୀ କରିଛି। ଓଡିଶାର ପ୍ରମୁଖ ପର୍ୟ୍ୟଟନସ୍ଥଳି ମଧ୍ୟରୁ ନୀଳାମ୍ବୁ ଚିଲିକା ଅନ୍ୟତମ।
ପୁରୀ ,ଖୋର୍ଦ୍ଧା ଏବଂ ଗଞ୍ଜାମ ତିନିଟି ଜିଲ୍ଲାର ଉପକୂଳକୁ ସ୍ପର୍ଶ କରେ ଚିଲିକା, ଦକ୍ଷିଣ ପାର୍ଶରେ ଚିଲିକା ରୁଷିକୂଲ୍ୟା ମହାଣ ସହ ସଂପୃକ୍ତ। ଓଡିଶାର ଉପକୂଳର ହୃତପିଣ୍ଡ ଭଳି ପ୍ରତୀୟମାନ ହେଉଥିବା ଚିଲିକା ଜୈବ ବିବିଧତାରେ ପରିପୂର୍ଣ୍ଣ । ପର୍ୟ୍ୟଟକଙ୍କ ପାଇଁ ମନୋଲୋଭା ବୋଟିଂ ସାଙ୍ଗକୁ ପକ୍ଷୀଙ୍କ ସମାବେଶ ତାର ଶୋଭାକୁ ବଢାଇଥାଏ। ଚିଲିକାକୁ ଦେଶୀ ବିଦେଶୀଙ୍କ ସମାଗମ କାରଣରୁ ପକ୍ଷୀଙ୍କ ଭୂସ୍ବର୍ଗ ବୋଲି ମଧ୍ୟ କୁହାଯାଏ। ଶୀତ ଋତୁର ଆଗମନରେ ଚିଲିକା ହ୍ରଦକୁ ଦୁର ଦୂରାନ୍ତ ତଥା ସାଇବେରିଆ ଅଞ୍ଚଳରୁ ଉଡିଆସନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ। ଯାହା ସଭିଙ୍କୁ ଆକୃଷ୍ଟ କରିଥାଏ। ଚିଲିକାର ମୁଖ୍ୟ ଆକର୍ଷଣ ସାଜିଛି ପକ୍ଷୀ ବିହାର। ଏହାକୁ ପକ୍ଷୀଙ୍କ ତୀର୍ଥଭୂମି ମଧ୍ୟ କୁହାଯାଏ । ଭାରତର ଲଦାଖ ଅଞ୍ଚଳ,ହିମାଳୟର ପାର୍ବତ୍ୟ ଅଞ୍ଚଳ,କାଶ୍ମୀର ପ୍ରଭୁତି ସ୍ଥାନରୁ ଆସିଥାନ୍ତି। ବିଦେଶରୁ ଆସୁଥିବା ପକ୍ଷୀମାନେ ସାଇବେରିଆ,କାସ୍ପିଆନ ସାଗର,ବୈକାଲ ହ୍ରଦ ସ୍ପେନ,ତିର୍ଦ୍ଦତ,ମଙ୍ଗୋଲିଆର,ଇରାକ ପ୍ରଭୁତି ଅଞ୍ଚଳରୁ ଉଡି ଆସିଥାନ୍ତି। ପ୍ରାକୃତିକ ପରିବେଶ ପକ୍ଷୀଙ୍କୁ ସୁହାଇଥାଏ,ଖାଦ୍ୟ ଅଭାବ ପରିଲିକ୍ଷିତ ହୁଏ ନାହିଁ।
୧୫୧ ପ୍ରଜାତିର ପକ୍ଷୀ,ହଂସ,କଙ୍କ,ଦଳଫିମ୍ପି ଚଢ଼େଇ,ଚନ୍ଦନା,ଚଟୁଆ,ପଦ୍ମନାଡି ଭଳି ବିଭିନ୍ନ ପକ୍ଷୀ ଦେଖାଯାଆନ୍ତି। ପରିବେଶ ବିତଙ୍କ ମତରେ ଚିଲିକାକୁ ପ୍ରାୟ ଅକ୍ଟୋବର ଓ ନଭେମ୍ବର ମାସରୁ ପକ୍ଷୀମାନେ ଚିଲିକା ଆସିଥାନ୍ତି। ମାର୍ଚ୍ଚ ମାସ ଶେଷବେଳକୁ ପୁଣି ଫେରିଯାଆନ୍ତି। ଚିଲିକା ବକ୍ଷରେ ଥିବା ନଳବଣ ପର୍ୟ୍ୟଟକଙ୍କୁ ବିମୋହିତ କରେ। ଏଠାରେ ଚଢେଇଙ୍କୁ ଦେଖିବାକୁ ଗୋଟିଏ ମୀନାର ରହିଛି। ପର୍ୟ୍ୟଟକମାନେ ମୀନାରର ଉପରେ ବସି ନଳବଣର ବହୁ ଦୂର ପର୍ୟ୍ୟନ୍ତ ଘୁରିବୁଲୁଥିବା ଚଢେଇଙ୍କୁ ଦେଖିପାରନ୍ତି। ନଳବଣ ଚଢେଇ ମାନଙ୍କର ଖୋଲାମଞ୍ଚ କୁହାଯାଏ,ମଙ୍ଗଳ ଯୋଡି ଗ୍ରାମକୁ ଲାଗି ଚିଲିକା ଉପକୂଳରେ ବହୁ ଚଢ଼େଇ ବିଚରଣ କରିଥାନ୍ତି। ସରକାର ନଳବଣର ପ୍ରାୟ ୫ କିଲୋମିଟର ଅଞ୍ଚଳକୁ ପକ୍ଷୀ ଅଭ୍ୟାରଣ୍ୟ ବୋଲି ଘୋଷଣା କରିଛନ୍ତି। ଚିଲିକା ହ୍ରଦର ସାତପଡା,ପର୍ୟ୍ୟଟକଙ୍କ ପାଇଁ ଆକର୍ଷୀଣ ସ୍ଥାନ। ଏଠାରେ ଏରାଓ୍ବଡି ପ୍ରଜାତିର ଡଲଫିନ୍ ବିଚରଣ କରନ୍ତି। ଯାହା ପର୍ୟ୍ୟଟକଙ୍କ ପାଇଁ ମନୋଲୋଭା।
ସମୁଦ୍ର ବିଜ୍ଞାନୀମାନଙ୍କ ମତରେ ପ୍ରଥମେ ଚିଲିକା ଶର୍ୟ୍ୟା ଏକ ନିମ୍ନ ଶୁଷ୍କ ଭୂମି, ଥିଲା। ଭୂମିକମ୍ପ ଏବଂ ସୁନାମୀ ହେତୁ ହଙ୍ଗୋ ପସାଗରର ଜଳରାଶି ସେହି ଅଞ୍ଚଳକୁ ପଶିଆସିଲା। ଏକ ବିରାଟ ବାଲି ସ୍ତୁପ ଦ୍ବାରା ଏହା ବଙ୍ଗୋପସାଗରର ଜଳରାଶି ଠାରୁ ବିଚ୍ଛିନ୍ନ ହୋଇଗଲା। କେବଳ ମୁହାଣ ବାଟ ଦେଇ ବଙ୍ଗୋପସାଗରର ଜଳରାଶି ଚିଲିକା ମଧ୍ୟକୁ ପ୍ରବେଶ କରେ। ଚିଲିକା ହଦ୍ରର ଲମ୍ବ ୭୨ କିଲୋମିଟରର,ଜଳର ଗଭୀରତା ୧.୫ ମିଟର ରହିଛି। ଚିଲିକା ଭିତରେ ଥିବା କାଳିଜାଇ ଠାକୁରାଣୀ ମନ୍ଦିର ପର୍ୟ୍ୟଟକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ। ମା’ କାଳିଜାଇ ହେଉଛନ୍ତି ଚିଲିକାର ଅଧିଷ୍ଠାତ୍ରୀ ଦେବୀ। ଚିଲିକା ମଝିରେ ଥିବା ତ୍ରିଶିଖ ପାହାଡର ଉପରିଭାଗରେ କାଳିଯାଇ ମନ୍ଦିର ଅବସ୍ଥିତ। ଏହି ପାହାଡକୁ କାଳିଜାଇ ପାହାଡ ମଧ୍ୟ କୁହାଯାଏ। ବିପଦରେ ପଡିଲେ ମା’ କାଳିଜାଇ ଭକ୍ତଙ୍କୁ ଚିଲିକା ବକ୍ଷରେ ସାହା ହୁଅନ୍ତି ବୋଲି ବିଶ୍ବାସ ରହିଛି। ମକର ସଂକ୍ରାନ୍ତିରେ ଏଠାରେ ବଡମେଳା ଅନୁଷ୍ଠିତ ହୁଏ। ଚିଲିକା ପ୍ରାକୃତିକ ଶୋଭା,ନୀଳଜଳରାଶି,ପକ୍ଷୀଙ୍କ ଆଗମନ ସଭିଙ୍କୁ କରେ ଆକୃଷ୍ଟ। ନୀଳ ଚାଦରେ ଚିଲିକାକୁ ଢାଙ୍କି ଦିଏ ପ୍ରକୃତି ରାଣୀ।