ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ୯ ଓ ୧୦ ତାରିଖରେ ନୂଆଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ରେ ୨ ଦିନିଆ ଜି-୨୦ ସମ୍ମିଳନୀ ଆରମ୍ଭ ହେବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ଏକ ମନ୍ତ୍ର ଦେଇଛନ୍ତି। ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆସୁଥିବା ରାଷ୍ଟ୍ରମୁଖ୍ୟଙ୍କ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ସତର୍କ ଓ ସଚେତନ ରହିବାକୁ ମୋଦି ନିଜ କ୍ୟାବିନେଟ ସହଯୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକରେ ମୋଦି ମନ୍ତ୍ରୀମାନଙ୍କୁ ନିଜ ସରକାରୀ ଗାଡ଼ି ବ୍ୟବହାର ପରିବର୍ତ୍ତେ ଆଖପାଖରେ ଥିବା ଅନ୍ୟ ଯାନବାହନ ଜରିଆରେ ଭାରତ ମଣ୍ଡପମ୍କୁ ଆସିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ସମ୍ବୋଧନରେ ଆହୁରି କହିଛନ୍ତି, ନିଜ ମୋବାଇଲରେ ଜି୨୦ ଆପ୍ ଡାଉନ୍ଲୋଡ୍ କରି ବିଦେଶୀ ଅତିଥିଙ୍କ ସହ କଥା ହେବାବେଳେ ଏହାର ଅନୁବାଦ ତଥା ଅନ୍ୟ ଫିଚର୍ସଗୁଡ଼ିକର ଭରପୂର ଉପଯୋଗ କରନ୍ତୁ। ଜି୨୦ ମୋବାଇଲ ଆପ୍ରେ ଥିବା ଇନ୍ଷ୍ଟାଣ୍ଟ ଟ୍ରାନ୍ସଲେଶନ୍ ଫିଚରରେ ସମସ୍ତ ଭାରତୀୟ ଭାଷା ସହିତ ଜି୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଭାଷା ମଧ୍ୟ ରହିଛି। ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକର ପ୍ରତିନିଧିଙ୍କ ସମେତ ପ୍ରାୟ ୪୦ ବିଶ୍ୱନେତା ଜି୨୦ରେ ଯୋଗଦେବେ ବୋଲି ବହିର୍ବ୍ୟାପାର ବିଭାଗ ସୂଚନା ଦେଇଛି।