ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ାଙ୍କ ଯୋଡ଼ି । ବହୁଦିନ ଧରି ଲାଗିରହିଥିବା ଚର୍ଚ୍ଚାରେ ଖୁବଶୀଘ୍ର ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ଦୁହିଁଙ୍କ ନିର୍ବନ୍ଧ ପରଠୁ ସେମାନଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି । ଏସବୁ ମଧ୍ୟରେ ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଇଛନ୍ତି ପରିଣୀତି ଓ ରାଘବ । ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଯୋଡ଼ି । ସାମ୍ନାକୁ ଆସିଲା ଉଭୟଙ୍କ ବିବାହ ତାରିଖ ।
ସୂଚନା ଅନୁଯାୟୀ, ସିଟି ଅଫ୍ ଲେକ୍ ଭାବେ ପରିଚିତ ରାଜସ୍ଥାନର ଉଦୟପୁରରେ ପରିଣୀତି ଓ ରାଘବଙ୍କ ବିବାହ ସ୍ଥିରୀକୃତ ହୋଇଛି। ଆସନ୍ତା ସେପ୍ଟେମ୍ବର ୨୩ ଓ ୨୪ରେ ଉଦୟପୁରର ଦୁଇ ରୟାଲ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି ଓ ରାଘବ । ଏଥିପାଇଁ ଦି ଲୀଲା ପ୍ୟାଲେସ ଓ ଦି ଓବେରୟ ଉଦୟ ବିଲାସରେ ବୁକିଂ କରାଯାଇଥିବା ନେଇ ସୂଚନା ମିଳିଛି । ଏହାସହ ହଲଦୀ , ମେହେନ୍ଦି ଓ ସଙ୍ଗୀତ ସମେତ ଅନ୍ୟାନ୍ୟ ବିବାହ ରୀତି ନୀତି ଲୀଲାରେ ଅନୁଷ୍ଠିତ ହେବାସହ , ଓବେରୟରେ ଅତିଥିଙ୍କ ରହଣି ବ୍ୟବସ୍ଥା କରାଯାଇଛି ।
ସେପଟେ ପରିଣୀତି ଓ ରାଘବଙ୍କ ବିବାହ ଉତ୍ସବରେ ପାଇଁ ପ୍ରାୟ ୨୦୦ଜଣ ଅତିଥି ନିମନ୍ତ୍ରିତ ହୋଇଥିବା ବେଳେ ସେଥିରୁ ପ୍ରାୟ ୫୦ରୁ ଅଧିକ ବ୍ୟକ୍ତି ମନୋରଞ୍ଜନ ତଥା ରାଜନୀତି କ୍ଷେତ୍ର ସହ ଜଡ଼ିତ ଅଛନ୍ତି । ସେମାନଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ , ପ଼ଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍, ବିଶିଷ୍ଟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍ ଜୋନସ ମଧ୍ୟ ଅତିଥି ତାଲିକାରେ ସାମିଲ ଅଛନ୍ତି ।