ଓଡ଼ିଶା 365 (ବ୍ୟୁରୋ): ଦେଶରେ ୱାନ୍ ନେସନ, ୱାନ ଇଲେକ୍ସନକୁ ନେଇ ଶାସକ ବିରୋଧିଙ୍କ ମଧ୍ୟରେ ତୁମ୍ଭି ତୋପାନ ଚାଲିଛି । ଏହାରି ମଧ୍ୟରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନର ପ୍ରଥମ ବୈଠକ ଡାକିଛନ୍ତି କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ।ସେପଟେ ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ସଂସଦର ବିଶେଷ ଅଧିବେଶନ ପୁରୁଣା ବିଲଡିଂରେ ଦିନକ ପାଇଁ ଚାଲିବ।ଏହାପରେ ସେପ୍ଟେମ୍ବର ୧୯ ଗଣେଶ ପୂଜାରୁ ନୂଆ ବିଲ୍ଡିଂରେ ସାଂସଦ ମାନେ ବସିବେ। ନୂଆ ବିଲ୍ଡିଂରେ ହିଁ ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ଚାଲିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି। ୫ ଦିନ ଧରି ବସିଥିବାକୁ ଏହି ଅଧିବେଶନର ଏଜେଣ୍ଡା ସରକାର ଏଯାଏଁ ସାର୍ବଜନୀନ କରିନାହାନ୍ତି।
କିନ୍ତୁ ସରକାର ୱାନ ନେଶନ, ୱାନ ଇଲେକ୍ସନ, ମହିଳା ସଂରକ୍ଷଣ ବିଲ, ଦେଶର ନାଁ ଇଣ୍ଡିଆ ବଦଳରେ କେବଳ ଭାରତ ଓ ଏକକ ନାଗରିକ ସଂହିତା ବିଲ୍ ଗୃହରେ ଉପସ୍ଥାପନ କରି ପାରନ୍ତି ବୋଲି ଜାତୀୟ ଗଣମାଧମରେ ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାର ହଠାତ୍ ସ୍ୱତନ୍ତ୍ର ଅଧିବେଶନ ଡାକିଥିବାରୁ ଆଗୁଆ ନିର୍ବାଚନ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସଂସଦରେ ବିଶେଷ ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୋନିଆ ଗାନ୍ଧୀ । ଏଥିରେ ୯ଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି।
ସେପଟେ ବିରୋଧୀ ମେଣ୍ଟ କହିଛି କି, ଯଦି ଏକ ଶୃଙ୍ଖଳିତ ଅଧିବେଶନ ସରକାର ଚାହୁଁଛନ୍ତି ତେବେ ବେରୋଜଗାରୀ ଓ ଦରବୃଦ୍ଧି ଉପରେ ସରକାର ସଂସଦରେ ଆଲୋଚନା କରନ୍ତୁ । ଏହାସହ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ କ’ଣ ପ୍ରସଙ୍ଗ ରହିବ ତାହାକୁ ସାର୍ବଜନୀନ କରନ୍ତୁ। ଗତ ମୌସୁମୀ ଅଧିବେଶନରେ ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇଥିଲେ ସ୍ୱତନ୍ତ୍ର ଅଧିବେଶନରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇବେ ବୋଲି ସୋନିଆ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ।