ଓଡ଼ିଶା365 (ବ୍ୟୁରୋ) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ତେବେ ଏନେଇ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅର୍ନ୍ତଗତ ପଙ୍କଳବାଡ଼ି ଗ୍ରାମରେ । ତେବେ ମୃତକ ଦୁଇ ଜଣ ହେଲେ ମିଥୁନ ଭୂୟାଁ ଓ ଲିପୁନ ସ୍ବାଇଁ । ଉଭୟ ସମ୍ପର୍କରେ ଜ୍ବାଇଁ ଶଳା ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ ପଙ୍କଳବାଡ଼ି ଗ୍ରାମରେ ପାରିବାରିକ କଳହରୁ ଦୁଇ ସମ୍ପର୍କୀୟ ଭାଇଙ୍କ ପରିବାର ମଧ୍ୟରେ ଲାଗି ରହିଥିଲା ବିବାଦ । ମିଥୁନ୍ ଓ ଲିପୁନ୍ କୌଣସି କାର୍ଯ୍ୟରେ କବିସୂର୍ଯ୍ୟନଗର ଯାଇ ନିଜର ମୋଟର ସାଇକେଲ ଯୋଗେ ପଙ୍କଳବାଡ଼ି ଗ୍ରାମକୁ ଫେରୁଥିଲେ । ସେହି ସମୟରେ ଉକ୍ତ ଗ୍ରାମର ଜାନକୀ ଏବଂ ତାଙ୍କ ପରିବାରର ସଦସ୍ୟମାନେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ସଂଘବଦ୍ଧ ଭାବେ ଆକ୍ରମଣ ଯୋଗୁଁ ଦୁଇ ଜଣ ସମ୍ପର୍କୀୟ ଜ୍ବାଇଁ ଓ ଶଳା ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର ଏମ୍ କେ ସି ଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ ଦୁଇ ମୃତକଙ୍କ ନାମରେ ପୂର୍ବରୁ ବିଭିନ୍ନ ମାମଲା ରହିଥିବା ବେଳେ ସେମାନଙ୍କ ନିକଟରୁ ମାଉଜର ଓ ଗୁଳି ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ପର୍କୀୟ ଭାଇଙ୍କ ପରିବାର ମଧ୍ୟରେ ଲାଗି ରହୁଥିବା ବିବାଦ ଯୋଗୁଁ ଏପରି ସଂଘର୍ଷ ଏବଂ ଦୁଇ ଜଣଙ୍କର ଜୀବନ ଯିବା ଘଟଣାରେ ପୋଲିସ ଦୁଇଟି ଏତଲା ରୁଜୁ କରିଛି । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରିଥିବା ବେଳେ ମୃତକଙ୍କ ନିକଟରୁ ମାଉଜର ସହ ଜୀବନ୍ତ ଗୁଳି ଜବତ ହୋଇଥିବା ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ସେହିପରି ହତ୍ୟା ଘଟଣା ପୂର୍ବରୁ ଗତ କିଛି ମାସ ତଳେ ଜାନକୀ ଓ ତାଙ୍କ ପୁଅ ମିଶି ମିଥୁନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ପୂର୍ବରୁ ଜାନକୀ ଓ ତାଙ୍କ ପୁଅ ଗିରଫ ହୋଇ ଜେଲ୍ ଯାଇଥିଲେ । ଜାମିନ୍ରେ ଫେରିବା ପରେ ପ୍ରତିଶୋଧ ପରାୟଣ ହୋଇ ଶେଷରେ ମିଥୁନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା କୁହାଯାଇଛି । ସେପଟେ ଏହି ଘଟଣା ପରେ ମୃତକଙ୍କ ମାଆ ଗଣମାଧ୍ୟମକୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ କହିବା ସହ ଜବତ ବନ୍ଧୁକ ଓ ଗୁଳି ତାଙ୍କ ପୁଅର ନୁହେଁ ବୋଲି କହିଛନ୍ତି ।