ଓଡ଼ିଶା 365 (ବ୍ୟୁରୋ) : ନୂତନ ସଂସଦ ଭବନରେ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେସନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଅଧିବେସନ ଡାକିଛନ୍ତି । ଏହି ସ୍ୱତନ୍ତ୍ର ଅଧିବେସନ ନୂଆ ସଂସଦ ଭବନରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ସ୍ୱତନ୍ତ୍ର ଅଧିବେସନ ପ୍ରଥମ ବୈଠକ ( ୧୮ ତାରିଖ) ପୂରୁଣା ସଂସଦ ଭବନରେ ହେବ । ଏହା ପରେ ୧୯ ତାରିଖରୁ ଅର୍ଥାତ ଗଣେଷ ଚତୁର୍ଥୀ ଦିନ ଠାରୁ ୨୨ ତାରିଖ ଯାଏଁ ୪ ଟି କାର୍ଯ୍ୟ ଦିବସ ନୂଆ ସଂସଦ ଭବନରେ ହେବ ।
ନୂଆ ସଂସଦ ଭବନରେ ୪ଟି ଦ୍ବାର ଅଛି। ଯେଉଁଥିରୁ ଗୋଟିଏ ଦ୍ବାର ସମାରୋହ ସମୟରେ ଅତିଥିଙ୍କ ଆସିବା ପାଇଁ ରହିବ। ଅର୍ଥାତ୍ ସ୍ବତନ୍ତ୍ର ଅଧିବେଶନ କାଳରେ ରାଷ୍ଟ୍ରପତି ଏହି ଦ୍ବାର ଦେଇ ସଂସଦକୁ ପ୍ରବେଶ କରିବେ। ଲୋକସଭାର ବାଚସ୍ପତି ଓ ରାଜ୍ୟସଭାର ଅଧ୍ୟକ୍ଷଙ୍କ ଆସିବା ପାଇଁ ଏକ ନୂଆ ଦ୍ବାର ରହିବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଓ ଭିଆଇପିଙ୍କ ପାଇଁ ଏକ ଭିନ୍ନ ପ୍ରବେଶ ଦ୍ବାର ରହିବ। ସାଂସଦଙ୍କ ପାଇଁ ନୂଆ ସଂସଦରେ ଭିନ୍ନ ପ୍ରବେଶ ଦ୍ବାର ରହିବ।
୬୪ ହଜାର ୫୦୦ ବର୍ଗ ମିଟର କ୍ଷେତ୍ରଫଳ ବିଶିଷ୍ଟ ଚାରି ମହଲା ସଂସଦ ଭବନରେ ତିନିଟି ମୁଖ୍ୟ ଦ୍ବାର ରହିଛି। ତିନିଟି ଦ୍ବାର ହେଲା ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର। କର୍ମଦ୍ବାରର ଡାହାଣ କାନ୍ଥରେ କୋଣାର୍କ ଚକ ଶୋଭା ପାଉଥିବା ବେଳେ ବାମ କାନ୍ଥରେ ସର୍ଦ୍ଦାର ପଟେଲ ଓ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଲାଗିଛି।
ସେହିପରି ଜ୍ଞାନ ଦ୍ବାରର ଡାହାଣ କାନ୍ଥରେ ଗାର୍ଗୀ- ଯାଜ୍ଞବଲକ୍ୟ ସମ୍ବାଦ ଓ ନାଳନ୍ଦା ପ୍ରତିମୂର୍ତ୍ତି ଲାଗିଥିବା ବେଳେ ଶକ୍ତି ଦ୍ବାର ଡାହାଣ କାନ୍ଥରେ ଚାଣକ୍ୟ ଓ ବାମ କାନ୍ଥରେ ମହାତ୍ମା ଗାନ୍ଧି-ଲବଣ ସତ୍ୟାଗ୍ରହର ପ୍ରତିମୂର୍ତ୍ତି ଶୋଭା ପାଉଛି। ନୂଆ ସଂସଦ ଭବନର କର୍ମଦ୍ବାରରେ ଲାଗିଥିବା କୋଣାର୍କ ଚକ ନିର୍ମାଣ ଗତ ୫ ମାସ ତଳୁ ଆରମ୍ଭ ହୋଇଥିଲା। ଗାଜିଆବାଦର ଲୋନିରେ ୩୦ରୁ ଅଧିକ କାରିଗର ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହାର ଓଜନ ରହିଛି ୩ ହଜାର କିଲୋଗ୍ରାମ। ସମ୍ପୂର୍ଣ୍ଣ ରୂପେ ଏହା ପିତ୍ତଳରେ ତିଆରି ହୋଇଛି। ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ୨୦୨୧ ଜାନୁଆରି ୧୫ରେ ଆରମ୍ଭ ହୋଇଥିଲା।
ନୂଆ ସଂସଦ ଭବନର ପରମାୟୁ ୧୫୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଏଥିରେ ୧୫୦% ଅଧିକ ସାଂସଦ ବସି ପାରିବେ । ଜାତୀୟ ପକ୍ଷୀ ମୟୂରକୁ ଆଧାର କରି ଲୋକସଭାକୁ ରୂପାୟନ ହୋଇଥିବା ବେଳେ ଜାତୀୟ ପୁଷ୍ପ ପଦ୍ମ ଆଧାରରେ ରୂପାୟିତ ହୋଇଚି ରାଜ୍ୟସଭା।
ଏ ଦୁଇଟି ସଦନ ଛଡ଼ା ଏହି ତ୍ରିକୋଣାକାର ଅଟ୍ଟାଳିକାରେ ରହିଛି ଏକ ସମ୍ବିଧାନ ହଲ୍। ଏଥିରେ ମୂଳ ସମ୍ବିଧାନ ଏବଂ ଲୋକଙ୍କ ପଢ଼ିବା ନିମନ୍ତେ ସମ୍ବିଧାନର ପ୍ରତ୍ୟେକ ପୃଷ୍ଠାର ଡିଜିଟାଲ୍ ସଂସ୍କରଣର ପ୍ରଦର୍ଶିତ ହେବା ପାଇଁ ବ୍ୟବସ୍ଥା ରହିଛି ।
ଅହମଦାବାଦର ଏଚ୍ସିପି ଏହାର ଡିଜାଇନ କରିଥିବା ବେଳେ ଆର୍କିଟେକ୍ଟ ବିମଳ ପଟେଲ ଏହାର ପ୍ଲାନିଂ ଓ ମ୍ୟାନେଜମେଣ୍ଟ କରିଥିଲେ। ଟାଟା ପ୍ରୋଜେକ୍ଟସ ଲିମିଟେଡ୍ ଦ୍ବାରା ବର୍ତ୍ତମାନର ସଂସଦ ଭବନର ନିର୍ମାଣ କରାଯାଇଛି।