ଓଡ଼ିଶା365 (ବ୍ୟୁରୋ) : ପବିତ୍ର ଜନ୍ମାଷ୍ଟମୀରେ ଚଳଚଞ୍ଚଳ ଇସ୍କନ ମନ୍ଦିର । ଜନ୍ମାଷ୍ଟମୀ ପାଇଁ ସବୁଠି ଆନନ୍ଦ ଉଲ୍ଲାସର ଉତ୍ସବ ଦେଖିବାକୁ ମିଳିଛି । ଏହାରି ଭିତରେ ପବିତ୍ର କୃଷ୍ଣ ଜନ୍ମଦିନ ତିଥିକୁ ନେଇ ଚଳଚଞ୍ଚଳ ରହିଛି ଇସ୍କନ ମନ୍ଦିର । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଇସ୍କନ ମନ୍ଦିରକୁ ଆସି ଧାଡି ବାନ୍ଧି ପ୍ରଭୁ ଶ୍ରୀକୃଷ୍ଣଙ୍କର ଦର୍ଶନ କରୁଛନ୍ତି । ଫଳରେ ଇସ୍କନ ମନ୍ଦିର ପରିସରରେ ବେଶ ଭିଡ଼ ପରିଲକ୍ଷିତ ହୋଇଛି ।ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମେତ୍ସବ ପାଳନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ଘଣ୍ଟଘଣ୍ଟା ଧରି ଶୃଙ୍ଖଳିତ ଭାବେ ମନ୍ଦିରକୁ ପ୍ରବେଶ କରି ରାଧାକୃଷ୍ଣଙ୍କ ଦର୍ଶନ କରୁଛନ୍ତି ।
ଭଜନ କୀର୍ତ୍ତନ କରିବା ସହ କୃଷ୍ଣ ପ୍ରେମରେ ନିଜକୁ ହଜାଇ ଦେଉଛନ୍ତି ଭକ୍ତ । ଆଜିର ଦିନରେ ଅପେକ୍ଷାରତ ଦର୍ଶନ ହେଉ ପଛେ ଭକ୍ତଟିଏ ଚର୍ମ ଚକ୍ଷୁରେ ଭଗବାନଙ୍କର ଦର୍ଶନ କରି କୃପା ଲାଭ କରିଛନ୍ତି ।ଅନ୍ୟପଟେ ଆଜି ଇସ୍କନ ପରିସରରେ ରାଧାକୃଷ୍ଣ ବେଶର ପ୍ରତିଯୋଗିତା ହୋଇଛି । କୁନି କୁନି ପିଲାମାନେ ରାଧା କୃଷ୍ଣଙ୍କ ବେଶରେ ସଜେଇ ହୋଇ ଗୀତ ଓ ଭାଗବତର ଶ୍ଳୋକ ମଧ୍ୟ ଗାନ କରିଛନ୍ତି । ପୁରା ପରିବେଶ ଭକ୍ତିମୟ ହୋଇ ଉଠିଥିବାବେଳେ ପ୍ରଭୁଙ୍କ ଦର୍ଶନ ପାଇ ଖୁସି ହୋଇଛନ୍ତି ଭକ୍ତ । ସେହିପରି ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ମଧ୍ୟ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଛି । ପବିତ୍ର ଜନ୍ମାଷ୍ଟମୀରେ ଇସ୍କନ ମନ୍ଦିର ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି ।