ଓଡ଼ିଶା365 (ବ୍ୟୁରୋ) : ଉତ୍ତର ପ୍ରଦେଶ ମହାରାଜଗଞ୍ଜରେ ଜଣେ ୧୭ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହିତ ଏହାକୁ ବିରୋଧ କରିବାରୁ ତାଙ୍କର ବାପାଙ୍କୁ ହତ୍ୟା କରିଛି ବଳତ୍କାରୀ । ଅଭିଯୁକ୍ତର ନାମ ମାସୁମ ରଜା ରାହି । ଏନେଇ ପୀଡିତାଙ୍କ ଅଭିଯୋଗ କ୍ରମେ କୋତବାଲି ପୋଲିସ ଏକ ଏଫଆଇର ରୁଜୁ କରିଛି ।ଗତ ଅଗଷ୍ଟ ୨୮ ତାରିଖରେ ଏହି ଘଟଣା ଘଟିଥିଲା । ପୀଡିତା ଅଭିଯୋଗ ଅନୁସାରେ, କିଛି ବର୍ଷ ତଳେ ତାଙ୍କର ମାଆଙ୍କ ଦେହାନ୍ତ ହୋଇଥିଲା । ଏହାପରେ ସେ ନିଜର ବାପା, ତିନି ଭଉଣୀ ଓ ସାନ ଭାଇ ସହ ମହାରାଜଗଞ୍ଜ ଅଞ୍ଚଳରେ ମାସୁମ ରଜାର ଘରେ ଭଡାରେ ରହୁଥିଲେ । ତାଙ୍କର ବାପା ଫୁଟପାଥରେ ପକୁଡି ଦୋକାନ କରି ପରିବାର ଚଳାଉଥିଲେ ।
ଅଗଷ୍ଟ ୨୮ ତାରିଖ ଦିନ ବାପା ଦୋକାନକୁ ଯାଇଥିଲେ । ଏହି ସୁଯୋଗରେ ମାସୁମ ରଜା ତାଙ୍କ ଘରେ ପଶିଥିଲା ଏବଂ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ହେଲେ ଏତିକି ବେଳେ ବାପା ଘରକୁ ଚାଲି ଆସି ମାସୁମ ରଜାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ଅଭିଯୁକ୍ତ ତାଙ୍କ ବାପାଙ୍କୁ ଘରୁ ଟାଣି ନେଇ ହତ୍ୟା କରିଥିଲା ଏବଂ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ କହିବା ଅନୁଯାଇ କୋତବାଲି ପୋଲିସ ବାପାଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିଲା । । ତେବେ କିଛି ଦିନ ପୂର୍ବରୁ ଅଭିଯୁକ୍ତ ପୀଡିତାଙ୍କ ସାନ ଭଉଣୀ ସହ ମଧ୍ୟ ଅସଦାଚରଣ କରିଥିଲା ଏବଂ ଏ ସମ୍ପର୍କରେ କାହାକୁ କିଛି କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।ଏନେଇ ପୋଲିସ କହିଛି ଯେ, ନାବାଳିକାର ଅଭିଯୋଗ ଆଧାରରେ ହତ୍ୟା, ଦୁଷ୍କର୍ମ, ଧମକ, ମାରପିଟ୍ ନେଇ ଅଭିଯୁକ୍ତ ମାସୁମ ରଜା ବିରୋଧରେ ସଙ୍ଗୀନ ଧାରାରେ ମାମଲା ରୁଜୁ ହୋଇଛି ।