ଓଡ଼ିଶା365 (ବ୍ୟୁରୋ) ଆଜି ହେଉଛି ଜନ୍ମାଷ୍ଟମୀ, ଭଗବାନ ଶ୍ରୀକୃର୍ଣ୍ଣଙ୍କ ଜନ୍ମ ତିଥି । ତେବେ ଆପଣ ଜାଣନ୍ତି କି ଆଜିର ଦିନରେ କିହିଁକି ପାଳନ କରାଯାଏ ଜନ୍ମାଷ୍ଟମୀ । ପ୍ରକୃତରେ ଅବତାର ଘେନିଥିବା ଭଗବାନଙ୍କର ପ୍ରତ୍ୟେକଟି ଜନ୍ମତିଥି ସ୍ତ୍ରୀଲିଙ୍ଗ ହୋଇଥାଏ, ଯେପରି ବରାହଙ୍କର ଜନ୍ମତିଥି ବକୁଳ ଅମାବାସ୍ୟା, ନୃସିଂହଙ୍କର ନୃସିଂହ ଚତୁର୍ଦ୍ଦଶୀ, ବାମନଙ୍କର ବାମନ ଦ୍ୱାଦଶୀ । ଏଇଠି ଗୋଟିଏ କଥାର ଉଲ୍ଲେଖ କରାଯାଇପାରେ ଦଶ ଅବତାର ତାଲିକା ଅନୁଯାୟୀ ଶରୀର କ୍ଷୁଦ୍ର ହେଲେ ବି ବାମନ ଅବତାର ହେଉଛି ପ୍ରଥମ ମାନବ ଅବତାର । ପର୍ଶୁରାମାଷ୍ଟମୀ ଆଷାଢ ଶୁକ୍ଳ ଅଷ୍ଟମୀ, ଶ୍ରୀରାମଙ୍କର ଶ୍ରୀରାମନବମୀ, ବଳଭଦ୍ରଙ୍କର ଶ୍ରାବଣ ପୂର୍ଣ୍ଣିମା, ଶ୍ରୀକୃଷ୍ଣଙ୍କର ଭାଦ୍ରବ କୃଷ୍ଣାଷ୍ଟମୀ ବା ଜନ୍ମାଷ୍ଟମୀ, ଏମିତିକି ବୁଦ୍ଧଙ୍କର ଜନ୍ମତିଥି ‘ବୁଦ୍ଧ ପୂର୍ଣ୍ଣିମା’ । ଯେପରି ଶ୍ରୀକୃଷ୍ଣଙ୍କର ଜନ୍ମତିଥି ଭାଦ୍ରବ କୃଷ୍ଣାଷ୍ଟମୀ ସହିତ ରୋହିଣୀ ନକ୍ଷତ୍ରରେ ପଡିଥାଏ । ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ବୋଲି ସ୍ୱୀକାର କରାଯାଏ, ତେବେ ଅଷ୍ଟମୀ ତିଥି ଯେ ସ୍ତ୍ରୀଲିଙ୍ଗ ବାଚକ ଏଥିରେ ସନ୍ଦେହ ନାହିଁ ।
ହିମାଚଳ ଅର୍ଥାତ୍ ସମଗ୍ର ଭାରତବର୍ଷରେ ହିନ୍ଦୁ ସମ୍ପ୍ରଦାୟ ତଥା ବୈଷ୍ଣବମାନେ ଏଥିରେ ଦୁଇଟିକୁ ଅତି ଶ୍ରଦ୍ଧା, ସମ୍ମାନ ଓ ଭକ୍ତିର ସହିତ ପାଳନ କରନ୍ତି, କାରଣ ରାମ ଏବଂ କୃଷ୍ଣ ଏଇ ଦୁଇ ଅବତାର ଭାରତୀୟ ସଂସ୍କୃତି, ସଭ୍ୟତା ଓ ଧର୍ମର ମୂଳାଧାର ହୋଇଯାଇଛନ୍ତି । ହଜାର ହଜାର ବର୍ଷଧରି ଭାରତୀୟ ମଣିଷ ରାମଙ୍କର ପାରିବାରିକ ଓ ସାମାଜିକ ଆଦର୍ଶର ବାହାରକୁ ଯାଇପାରିନି କିମ୍ବା ଶ୍ରୀକୃଷ୍ଣଙ୍କର ଦର୍ଶନ ଓ ଚମତ୍କାରିତାକୁ ଅସ୍ୱୀକାର କରିପାରିନାହିଁ । ଭାରତୀୟ ସଂସ୍କୃତି ହେଉଛି ରାମକୃଷ୍ଣଙ୍କର ସଂସ୍କୃତି । ତେବେ ଶ୍ରୀକୃଷ୍ଣଙ୍କର ପବିତ୍ର ଉତ୍ସବକୁ ଜନ୍ମାଷ୍ଟମୀ କୁହାଯିବାର ତାତ୍ପର୍ଯ୍ୟ କ’ଣ ? ଜଗତ୍ ପିତା ଜଗତଗୁରୁ ସବୁ ମାନବୀୟ ଦର୍ଶନର ଆଧାର ଲୀଳା ପୁରୁଷୋତ୍ତମ କୃଷ୍ଣଙ୍କର ଏହା ଜୟନ୍ତୀ ଉତ୍ସବ । ଅଷ୍ଟମୀ ସହିତ ଜନ୍ମ ଶବ୍ଦକୁ ଯୋଗ କରାଯାଇଛି, କୃଷ୍ଣ ଶବ୍ଦକୁ ଯୋଗ କରାନଯାଇ ‘ଜନ୍ମାଷ୍ଟମୀ’ ବୋଲି କୁହାଯାଇ ଜଗତ ପିତାଙ୍କର ଜନ୍ମବାସର ବୋଲି ସୂଚାଇ ଦିଆଯାଇଛି । ଭାରତୀୟ ସଂସ୍କୃତି ଓ ଧର୍ମଧାରାରେ ଆଉ କୌଣସି ଅଷ୍ଟମୀକୁ ‘ଜନ୍ମାଷ୍ଟମୀ’ କୁହାଯାଇପାରିବ ନାହିଁ ।
ଜନ୍ମାଷ୍ଟମୀକୁ ରହସ୍ୟମୟୀ କହିବାର ତାତ୍ପର୍ଯ୍ୟ କ’ଣ ?
ଶ୍ରୀକୃଷ୍ଣଙ୍କ ଜନ୍ମ ସମୟ ଓ ଘଟଣାମାନ ରହସ୍ୟମୟ ନିଶ୍ଚୟ । ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥି । ଚାରିଆଡେ ଘନ ଘୋର ଅନ୍ଧାର । ମେଘମାନଙ୍କର ଭୟଙ୍କର ଗର୍ଜନ ସାଙ୍ଗକୁ ମୂଷଳ ଧାରାରେ ବର୍ଷା । ବିଜୁଳି ସହିତ ଘଡଘଡି ବଜ୍ରନାଦ । ଆମ ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସଙ୍କ ଭାଷାରେନିଦ୍ରାରେ ମୋହିତ ସକଳ, ବୃଷ୍ଟି କରନ୍ତି ମେଘମାଳ । ଏହିପରି ଏକ ବର୍ଷଣମୁଖର ଅନ୍ଧାର ରାତିରେ କିଏ ବା କାହିଁକି ବାହାରକୁ ବାହାରନ୍ତା ? ଚାରିଆଡେ ଶୂନଶାନ୍, ଏହିଭଳି ଏକ ନିଶାର୍ଦ୍ଧରେ ଶ୍ରୀକୃଷ୍ଣଙ୍କର ଜନ୍ମ । ଆକାଶେ ଉଦେ ନିଶାକର, ଗୋବିନ୍ଦ ଉଦରୁ ବାହାର ନୀଳଜୀମୂତ ଦେହକାନ୍ତି, ବଳୟମଣି ଝଟକନ୍ତି । ଅଷ୍ଟମୀର ଚନ୍ଦ୍ର ଆକାଶରେ ଉଦୟ ହେବାବେଳକୁ ମା’ ଦେବକୀଙ୍କ ଗର୍ଭରୁ ଗୋବିନ୍ଦ ଶ୍ରୀକୃଷ୍ଣଙ୍କର ଆବିର୍ଭାବ । ଭଗବାନ ସଙ୍ଗେ ସଙ୍ଗେ ପିତା ବସୁଦେବଙ୍କୁ ପରାମର୍ଶ ଦେଇଛନ୍ତି, ‘ମୋତେ ଗୋପର ନନ୍ଦମନ୍ଦିରରେ ଯଶୋଦାଙ୍କ କୋଳରେ ଥୋଇଦେଇ ତାଙ୍କର ନବଜାତ କନ୍ୟାକୁ ନେଇ ଆସି ମାଆଙ୍କ କୋଳରେ ଥୋଇ ଦିଅ ।’ ବସୁଦେବ ବାହାରିଛନ୍ତି ବନ୍ଦୀଶାଳାରୁ, କୋଳରେ ନବଜାତ ଶିଶୁ-ଗୋବିନ୍ଦ, କୃଷ୍ଣ, ବିଷ୍ଣୁମାୟାରେ ସାରାଜଗତ ଶୋଇପଡିଛି । ଭରା ଯମୁନା ନଦୀକୁ ପାର ହେଇ ବସୁଦେବ ପହଞ୍ଚିଛନ୍ତି ନନ୍ଦମନ୍ଦିରରେ ।
ମଥୁରାର ପୁଅ ପହଞ୍ଚିଛି ଗୋପରେ, ଗୋପରେ ବି ସମସ୍ତେ ନିଦ୍ରାଗତ, ଗୋପର ଝିଅକୁ କୋଳରେ ଧରି ଚାଲିଆସିଛନ୍ତି ବସୁଦେବ ଏ ଘଟଣା ରହସ୍ୟ ହୋଇଯାଇଛି ଅନେକ ଦିନ ପର୍ଯ୍ୟନ୍ତ । ଏକଥା ଜାଣନ୍ତି କେବଳ ବସୁଦେବ ଦେବକୀ । ଆମର ବୈଷ୍ଣବ କବି ଅତିବଡୀ ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗବତରେ ବସୁଦେବ ଗୋପକୁ ଯିବାବେଳେ ମଥୁରାର ରାଜରାସ୍ତା ଉପରେ ଉଗ୍ରସେନଙ୍କ ସହିତ ବସୁଦେବଙ୍କୁ ଭେଟ କରାଇଛନ୍ତି । ବସୁଦେବ କହିଛନ୍ତି ଏ ପୁଅ ସ୍ୱୟଂ ଭଗବାନ । ଭଗବାନଙ୍କର ଚତୁର୍ଭୁଜ ମୂର୍ତ୍ତି ଦେଖିବା ପାଇଁ ଉଗ୍ରସେନ କହିଛନ୍ତି । ତୁ ଯେବେ ଦେବ ଭଗବାନ ଦେଖା ଶଙ୍ଖ ଚକ୍ର ଚିହ୍ନ । କିନ୍ତୁ ଏ କଥାଟି ମୂଳ ଭାଗବତରେ ନାହିଁ । ଏହା ଦିବ୍ୟଦ୍ରଷ୍ଟା ଜଗନ୍ନାଥ ଦାସଙ୍କର ନିଜସ୍ୱ ସୃଷ୍ଟି । ମୂଳଗ୍ରନ୍ଥରେ ଏ ରହସ୍ୟକୁ କେବଳ ଜଣେ ଜାଣିଛନ୍ତି ସେ ହେଉଛନ୍ତି ପିତା ବସୁଦେବ, ତେଣୁ ସମଗ୍ର ଘଟଣାଟି ରହସ୍ୟପୂର୍ଣ୍ଣ । ରହସ୍ୟପୂର୍ଣ୍ଣ ଘଟଣା ଘଟିଥିବା ରାତିଟି ଭାଦ୍ରବ କୃଷ୍ଣାଷ୍ଟମୀର ରାତି । ତେଣୁ ରହସ୍ୟମୟୀ ଜନ୍ମାଷ୍ଟମୀ କହିବା ମୋଟେ ଅଯୌକ୍ତିକ ନୁହେଁ, ବରଂ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଏ ତିଥିଟିକୁ ଭାରତୀୟ ହିନ୍ଦୁମାନେ ବିଶେଷକରି ବୈଷ୍ଣବମାନେ ଶ୍ରଦ୍ଧାର ସହିତ ପାଳନ କରନ୍ତି । ଆମ ସଂସ୍କୃତିରେ ବହୁ ଓଷାବ୍ରତ ପାଳନର କଥା କୁହାଯାଇଛି । ଲୋକେ ବହୁ ପବିତ୍ର ଦିବସରେ ସେହିଦିନରେ ଉଦ୍ଦିଷ୍ଟ ଥିବା ଓଷା ଓ ବ୍ରତସବୁ ପାଳନ କରିଥାଆନ୍ତି ।