ଓଡ଼ିଶା365 (ବ୍ୟୁରୋ) : ବହୁ ଚର୍ଚ୍ଚିତ ସୁନା ବ୍ୟବସାୟୀ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଅଢେଇ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଜିଲ୍ଲାର ସାରସ ମାଲ ଗ୍ରାମରେ ଚଢାଉ କରି ଅଭିଯୁକ୍ତ ଶିର ରଣାଙ୍କୁ ପୋଲିସ୍ ମଙ୍ଗଳବାର ଗିରଫ କରିଥିଲା । ତେବେ ଏହି ହତ୍ୟାକାଣ୍ଡ ଟଙ୍କା ନେଣଦେଣ ପାଇଁ ହୋଇଥିବା କଥା କହିଛି ପୁଲିସ । ତେବେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତକୁ ନେଇ ପୁଲିସ ଆଜି ସିନ ରିକ୍ରିଏସନ କରିଥିଲା ।ସୂଚନା ମୁତାବକ, ଗତ ନଭେମ୍ବର ୫ ତାରିଖ ୨୦୨୦ରେ ଦେଓଗାଁ ବ୍ଲକ ହାତିସରା ଗ୍ରାମର ସୁନା ବ୍ୟବସାୟୀ ଗଜାନନ ମେହେର ନିଖୋଜ ହୋଇଥିଲେ ।
ଗତ ୯ ନଭେମ୍ବରରେ ତାଙ୍କ ବଡ ଭାଇ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିପରି ୨୪ ନଭେମ୍ବର ୨୦୨୦ରେ ତାଙ୍କ ମୃତଦେହ ଓ ବାଇକ୍ ପାଟଣାଗଡ଼ ନିକଟସ୍ଥ ମୁଡ଼ଘାଟ ଜଙ୍ଗଲରୁ ପୋଲିସ୍ ଉଦ୍ଧାର କରିଥିଲା । ଏହାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ତେବେ ସେ ସମୟରେ ମୃତ ସୁନା ବ୍ୟବସାୟୀଙ୍କ ପରିବାର ବର୍ଗ ଅଭିଯୋଗ ଆଣିଥିଲେ ଯେ ଦେଓଗାଁ ସାରସ ମାଲର ଶିର ରଣା ତାଙ୍କ ଭାଇକୁ ଘରୁ ଡାକି ନେଇଥିଲା । ତେଣୁ ସେ ହିଁ ତାଙ୍କର ହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଥିଲେ । ତେବ ସେହି ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଜାରିରଖିଥିଲେ ହେଲେ ଅଭିଯୁକ୍ତ ଶିର ରଣା ଫେରାର ଥିବା ବେଳେ ତାକୁ ଗତକାଲି ପୁଲିସ କବୁକରିଛି ।