ଓଡ଼ିଶା 365 (ବ୍ୟୁରୋ):ଖୁବଶୀଘ୍ର ବନ୍ଧା ହେବେ ଓଲିଉଡ୍ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ । ଯୁବତୀଙ୍କୁ ଯୌନ ଶୋଷଣ କରିଥିବା ମାମଲାରେ ପୋଲିସ ସୌରୀନଙ୍କୁ ଗିରଫ ପାଇଁ ଆରମ୍ଭ କରିଛି ପ୍ରକ୍ରିୟା । ହେଲେ ସୌରୀନଙ୍କ ମୋବାଇଲ ସୁଇଚ ଅଫ୍ ଥିବା ବେଳେ ତାଙ୍କ ପରିବାର ଲୋକଙ୍କ କଲ ଡିଟେଲ ମଧ୍ୟ ଯାଞ୍ଚ ଆରମ୍ଭ କରିଛି ଟେକ୍ନିକାଲ ଟିମ୍ । ସୂଚନା ଅନୁଯାୟୀ, ସୌରୀନଙ୍କୁ ଠାବ କରିବା ପାଇଁ ଏକ ପୋଲିସ ଟିମ ଖୁବ ଶୀଘ୍ର ରାଜ୍ୟ ବାହାରକୁ ଯିବ ବୋଲି ଡିସିପି କହିଥିବାବେଳେ, ଜଣେ ବରିଷ୍ଠ ଅଧିକାରୀ ଓ ସ୍ପେଶାଲ ସ୍କ୍ୱାର୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନରେ ସୌରୀନଙ୍କୁ ଠାବ କରିବା ପାଇଁ ଉଦ୍ୟମ କରାଯାଉଛି । ପୋଲିସର ସ୍ଵତନ୍ତ୍ର ଟିମ୍ ମୁମ୍ବାଇ ଓ କୋଲକାତା ଯାଇ ସୌରୀନଙ୍କୁ ଖୋଜିବେ। ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ହଟାଇବା ସହ ଆଗୁଆ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି । ମାମଲାର ତଦନ୍ତରେ ଉପସ୍ଥିତି ରହି ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କେସ୍ ଡାଏରୀରେ ଏହି ଘଟଣାରେ ସୌରୀନଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି ।
ସେପଟେ, ପୂର୍ବରୁ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ କଟକ ମହିଳା ଥାନାରେ ହାଜର ହୋଇଥିଲେ। ଥାନାରେ ହାଜର ହେଵା ବେଳେ ସୌରୀନ ଗଣମାଧ୍ୟମରେ ଆଗରେ କହିଥିଲେ ଯେ, ସେ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଚିହ୍ନି ନାହାନ୍ତି । ଥାନାରେ ଜୋନ ୨ଏସିପି ଓ ମହିଳା ଥାନା ଅଧିକାରୀ ପ୍ରାୟ ଦୁଇ ଘଣ୍ଟା ଧରି ସୌରୀନଙ୍କୁ ଜେରା କରିଥିଲେ। ହେଲେ ମହିଳା ଥାନାରେ ଜେରା ପରେ ସୌରୀନଙ୍କ ଓକିଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କିଛି ଭିନ୍ନ ତଥ୍ୟ ଦେଇଥିଲେ ।
ସୌରୀନଙ୍କ ଓକିଲ ପ୍ରଦୀପ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ, ଜେରା ବେଳେ ସୌରୀନ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଜାଣିଥିବା ଓ ସେମାନଙ୍କ ମଧ୍ୟରେ ବନ୍ଧୁତା କଥାକୁ ସ୍ବୀକାର କରିଛନ୍ତି। ପୋଲିସ ମଧ୍ୟ ଉଭୟଙ୍କ ଭିତରେ ବନ୍ଧୁତା ଥିବା କଥା ସ୍ପଷ୍ଟ କରିବା ସହ ଉଭୟଙ୍କ ଭିତରେ ଟଙ୍କା ଦିଆନିଆ ହେଉଥିଲା ବୋଲି କହିଛି । ଏ ସମ୍ପର୍କରେ ପୋଲିସ ସୌରୀନଙ୍କ ୧୬୧ଧାରାରେ ବୟାନ ରେକର୍ଡ କରିଥିଲା । ତେଣୁ ଏସବୁ ଭିତରେ ପୋଲିସ ଅଭିଯୋଗ ମୁତାବକ ସମସ୍ତ ତଥ୍ୟ ପ୍ରମାଣ ପାଇସାରିଥିବାବେଳେ ଏବେ ସୌରୀନଙ୍କୁ ଗିରଫ କରିବା ପାଇଁ ପୁରା ଟିମ୍ ଲାଗିପଡିଛି ।