ଓଡ଼ିଶା 365 (ବ୍ୟୁରୋ):ଚର୍ଚ୍ଚାରେ ‘ଇଣ୍ଡିଆ ବନାମ ଭାରତ’ । ସଂସଦର ବିଶେଷ ଅଧିବେଶନ ଓ ଇଣ୍ଡିଆ ବନାମ ଭାରତକୁ ନେଇ ସାରା ଦେଶରେ ହୁଳି ପଡ଼ିଛି । ଇଣ୍ଡିଆର ନାମ ଭାରତ ରଖିବାକୁ କାର୍ଯ୍ୟ ହେଉଥିବା ଶୁଣିବାକୁ ମିଳୁଛି । ଯାହାକୁ ନେଇ ବିରୋଧୀ ଏବେ ସରକାଙ୍କ ଘେରିଛନ୍ତି। ସେପଟେ ଇଣ୍ଡିଆ ବନାମ ଭାରତ ବିବାଦରେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଏକ ଟ୍ୱିଟ୍ ଭାଇରାଲ ହେଉଛି । ସୂଚନା ଅନୁଯାୟୀ, ବିଗ୍ ବି ତାଙ୍କ ‘ଏକ୍ସ’ ହ୍ୟାଣ୍ଡଲରେ ଏକ ଟ୍ୱିଟ୍ କରିଛନ୍ତି। ସେ ‘ଭାରତ ମାତା କି ଜୟ’ ବୋଲି ଉଲ୍ଲେଖ କରିଛନ୍ତି। ଅମିତାଭଙ୍କ ଏହି ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଗ୍-ବି ଟ୍ୱିଟ୍ କରିବାର କିଛି ସମୟ ମଧ୍ୟରେ ଅନେକ ୟୁଜର ଏହାକୁ ରି ଟ୍ୱିଟ୍ କରି ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି । ହେଲେ ଅମିତାଭ ତାଙ୍କ ଟ୍ୱିଟ୍ରେ କୌଣସି ବିବାଦୀୟ କଥା ଉଲ୍ଲେଖ କରି ନାହାନ୍ତି। ତେବେ ୟୁଜର ତାଙ୍କ ଟ୍ୱିଟ୍କୁ ଇଣ୍ଡିଆ ବନାମ ଭାରତ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ସହ ଯୋଡୁଛନ୍ତି।
ଖବର ମୁତାବକ, ଇଣ୍ଡିଆ ବନାମ ଭାରତ ବିବାଦର ସୂତ୍ରପାତ ସେବେ ହେଲା ଯେବେ ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଗଲା । ଏହା ପରେ ଜି-୨୦ ରାଷ୍ଟ୍ରାଧ୍ୟକ୍ଷ ଓ ମନ୍ତ୍ରୀମାନଙ୍କୁ ପଠାଯାଇଥିବା ଅଧିକାରୀକ ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିରୋଧୀମାନେ ବିଭିନ୍ନ ମହଲରେ ଅସନ୍ତୋଷ କରୁଥିବା ଦେଖିବାକୁ ମିଳୁଛି । ଏହା ପୂର୍ବରୁ ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଲେଖାଯାଉଥିଲା। ଯାହାକୁ ଏବେ ପ୍ରେସିଡେଣ୍ଟ ଅଫ ଭାରତ କରିଦିଆଯାଇଛି।